ଲଗାଣ ବର୍ଷାରେ ପଚି ଯାଇଥିବା ଧାନ ଗୋଚ୍ଛା ଧରି ଧାରଣା

  • ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବଡ଼ରାମପଲ୍ଲୀ ଗ୍ରାମର କୃଷିଜୀବୀଙ୍କ କ୍ଷୋଭ : ନଦୀବନ୍ଧ ଯୋଜନାର ସଫଳ ନିର୍ମାଣ ପାଇଁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ କୋମଣ୍ଡ ଗ୍ରାମ ପଞ୍ଚାୟତର ବଡ଼ରାମପଲ୍ଲୀ ଗ୍ରାମର କୃଷିଜୀବୀମାନେ ଆଜି ନିରାଶ ମନରେ କ୍ଷୋଭ କରିଛନ୍ତି । ଲଗାଣ ବର୍ଷା ଯୋଗୁିଁ ଧାନ ଫସଲ ସବୁତକ ପଚି ଗଲା । ଆଉ ମାତ୍ର ଆଠ ଦିନ ଯାଇଥିଲେ ଧାନ ଅମଳ କରି ଘରକୁ ବୋହି ନେଇଥାନ୍ତୁ । କିନ୍ତୁ ଫସଲ ଉଜୁଡି ଗଲା । ସୁନାର ଫସଲ ଧାନ କେତେ ପରିମାଣରେ କଟା ଯାଇ ଖଳାରେ ସାଇତି ରଖାଯାଇଥିଲା । ଆଉ କେତେ ପରିମାଣରେ ଧାନ କଟା ହୋଇନଥିଲା । ଏବେ ସବୁତକ ଧାନନଷ୍ଟ ହୋଇଯାଇଥିବା ନେଇ ଏହାର ସ୍ଥାୟୀ ପ୍ରତିକାର ସାଂଗକୁ ନଷ୍ଟ ହୋଇଥିବା ଫସଲର କ୍ଷତି ପୂରଣ ପାଇଁ ଜିଲ୍ଲା ପ୍ରଶାସନଠାରେ ଚାଷୀକୁଳ ଗୁହାରି କରିଥିଲେ । ବିହନ, ସାର ସହ ନିଜର ବହୁମୂଲ୍ୟ ଶ୍ରମ କରିଥିଲେ ମଧ୍ୟ କଷ୍ଟ ପଡିବାର ମୂଲ୍ୟ ପାଉନ ଥିବା ହେତୁ ଚାଷୀକୁଳ ଘୋର ଉଦବେଗ ପ୍ରକାଶ କରିଛନ୍ତି । ବଡ଼ରାମପଲ୍ଲୀ ଗ୍ରାମବାସୀ ତଥା ବୃଦ୍ଧିଜୀବୀ ସମୂହ ବିନୟ ପୂର୍ବକ ଜିଲ୍ଲାପାଳଙ୍କୁ ପ୍ରାର୍ଥନା କରିଛନ୍ତି ଯେ, ଏହି ଗ୍ରାମରେ ଥିବା ଚାଷଜମିର ମଧ୍ୟଭାଗରେ ଖରଖରୀ ନାଳ ପ୍ରବାହିତ ହେଉଛି । ଏହି ନାଳ ଉପରେ ବେଗୁନିଆପଡା, କୋଦଳା, କବିସୂର୍ୟ୍ୟନଗର, ପୁରୁଷୋତ୍ତମପୁର, ଖଲ୍ଲିକୋଟ ଓ ଗଞ୍ଜାମ ଆଦି ଛଅଟି ବ୍ଳକ୍ ନିର୍ଭରଶୀଳ । କିନ୍ତୁ ଲଗାଣ ବର୍ଷା ହେତୁ ପ୍ରତିବର୍ଷ ବନ୍ୟାଜଳ ସହ ଏହି ନଦୀଜଳ ମିଶି ବନ୍ୟାପ୍ଲାବିତ ହୋଇ ଏହି ସମସ୍ତ ଅଞ୍ଚଳର ଚାଷଜମି କ୍ଷତିଗ୍ରସ୍ତ ହୋଇଥାଏ । ଏବେ ବି ୭ଫୁଟରୁ ଉର୍ଦ୍ଧ୍ବ ବଢ଼ିଜଳ ଭରି ରହି ବଡ଼ରାମପଲ୍ଲୀ ଗ୍ରାମର ଚାଷଜମି ବିଶେଷ ପ୍ରବାହିତ ହେଉଅଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଏଭଳି ବର୍ଷବର୍ଷ ଧରି ଦୁର୍ଦ୍ଦଶା ଦୂର କରିବା ନିମିତ୍ତ ଏହି ଖରଖରୀ ନଦୀ ଜଳ ପ୍ରବାହିତ ନାଳ ସହ ଯୋଡି ରହିଥିବା ସଂକୀର୍ଣ୍ଣ ବ୍ରିଜ ଭାଙ୍ଗି ନୂତନ ବଡ଼ଧରଣର ୨ଶହ ଫୁଟର ବ୍ରିଜ ନିର୍ମାଣ ନିମନ୍ତେ ଲୋକେ ଦାବୀ କରିଛନ୍ତି । ଏହି ସ୍ଥାୟୀ ସମାଧାନ ନିମନ୍ତେ ନୂତନ ବ୍ରିଜ ନିର୍ମାଣ ପଦକ୍ଷେପ ନେବାକୁ ବଡ଼ରାମପଲ୍ଲୀ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ସଦୟ ନିବେଦନ କରିଛନ୍ତି ।

Leave A Reply

Your email address will not be published.