ଗୋଚର ଜମି ପରିମାଣ ହ୍ରାସ ନିଷ୍ପତ୍ତିର ପୁନଃ ସମୀକ୍ଷା ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାର ଓଡ଼ିଶା ଜମି ବନ୍ଦୋବସ୍ତ ଆଇନ-୧୯୮୩ରେ ସଂଶୋଧନ କରି ପ୍ରତ୍ୟେକ ଗାଁରେ ଆବଶ୍ୟକ ହେଉଥିବା ଗୋଚର ଜମି ପରିମାଣକୁ ଶତକଡ଼ା ୫ରୁ ୩ ଭାଗକୁ ହ୍ରାସ କରିବାକୁ ନେଇଥିବା ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏଭଳି ନିଷ୍ପତ୍ତି ଗୋ ସମ୍ପଦର ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାର ପରିଚୟ ବୋଲି ସେ କହିଥିବା ବେଳେ ଏଭଳି ନିଷ୍ପତ୍ତିରୁ ରାଜ୍ୟ ସରକାର ନିବୃତ୍ତ ରହିବା ଉଚିତ ବୋଲି ସେ ଦାବୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗୋ ସମ୍ପଦ ସମାଜର ଆର୍ଥିକ ମେରୁଦଣ୍ଡ ହୋଇଥିବା ବେଳେ ଧାର୍ମିକ ଆସ୍ଥା ଓ ଆବେଗର କେନ୍ଦ୍ରବିନ୍ଦୁ ଅଟେ । ସେଥିପାଇଁ ଯୁଗଯୁଗରୁ ଆମ ଦେଶରେ ଗୋଚର ଜମିର ପରିକଳ୍ପନା କରାଯାଇଥିବା ବେଳେ ପ୍ରତ୍ୟେକ ରାଜସ୍ବ ଗ୍ରାମର ୫ ପ୍ରତିଶତ ଜମିକୁ ଗୋଚର ଜମି ଭାବରେ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା ରହିଛି । ତେବେ ଅଧିକାଂଶ ଗ୍ରାମରେ ହେକ୍ଟର ହେକ୍ଟର ସରକାରୀ ଜମିକୁ ମାଫିଆ, କୁଜିନେତା ମାନେ କବଜା କରି ରଖିଥିବା ବେଳେ ତାକୁ ମୁକ୍ତ କରିବାକୁ ପ୍ରୟାସ ନକରି ବାସହୀନଙ୍କୁ ବାସଯୋଗ୍ୟ ଜମି ଯୋଗାଇଦେବା ବାହାନାରେ ଗୋଚର ଜମିକୁ ହ୍ରାସ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ଓ ଦୂରଦୃଷ୍ଟିବିହୀନ । ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ସମାଜକୁ ଉଭୟ ଆର୍ଥିକ ଓ ସାଂସ୍କୃତିକ ସ୍ତରରେ ବିକଶିତ କରିବାକୁ ହେଲେ ଗୋ ସମ୍ପଦର ଭୂମିକା ଓ ଆବଶ୍ୟକତା ଅପରିହାର୍ଯ୍ୟ । ତେଣୁ ରାଜ୍ୟ ସରକାର ଗୋ-ପାଳନକୁ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଗୋଚର ଜମିର ବୃଦ୍ଧି ଦିଗରେ ଆଗଭର ହେବାର ଆବଶ୍ୟକତା ରହିଛି । ତେବେ ରାଜ୍ୟ ସରକାର ଏହା ନକରି ଓଲଟା ଗୋଚର ଜମିର ପରିମାଣକୁ ହ୍ରାସ କରିବାକୁ ଆଇନର ସଂଶୋଧନ କରିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ । ତେଣୁ ଏହାର ପୁନଃ ସମୀକ୍ଷା କରି ଗୋଚର ଜମିର ପରିମାଣକୁ ହ୍ରାସ କରିବାକୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିରୁ ରାଜ୍ୟ ସରକାର ନିବୃତ୍ତ ରହିବାକୁ ଭିଏଚ୍‌ପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.