କୁମାର ଉତ୍ସବ -୨୦୨୪ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ -୨୦୨୪ ଚଳିତ ଅକ୍ଟୋବର ମାସ ୧୬ ତାରିଖ ବୁଧବାର ସନ୍ଧ୍ୟା ୬ଟା ସମୟରେ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହେବାକୁ ଯାଉଛି । ଏନେଇ ଆଦର୍ଶ ସାହିତ୍ୟ ଘର ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଏହି ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ପୂର୍ତ୍ତ ବିଭାଗର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଯୋଗଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର କଳା ଓ ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସୁନାମଧନ୍ୟ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଡ. ବିଜୟ କୁମାର ଜେନାଙ୍କୁ ‘କୁମାର ଉତ୍ସବ ସମ୍ମାନ – ୨୦୨୪ରେ ସମ୍ବର୍ଦ୍ଧିତ କରାଯିବ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତିଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ଗୁରୁ ପୁଷ୍ପା ମିଶ୍ରଙ୍କ ନିର୍ଦ୍ଦେଶନାରେ ଶ୍ରୀ ଜଗନ୍ନାଥ କଳା ପରିଷଦ ଦ୍ୱାରା ‘କୁଆଁର ପୁନେଇ ଜହ୍ନ ଗୋ’ ନୃତ୍ୟନାଟିକା ପରିବେଷଣ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ କରୁଣାକର ସେଠୀ, ସ୍ମରଣିକା ନନ୍ଦ ଓ ରାଉରକେଲାର ଭାସ୍କର ଚନ୍ଦ୍ର ପୁହାଣଙ୍କ ସହ କିଛି ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ଵାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଉତ୍ସବରେ ରାଉରକେଲାର ସମସ୍ତ ଜନସାଧାରଣ, ସଂସ୍କୃତିପ୍ରେମୀ ବନ୍ଧୁମାନଙ୍କୁ ସପରିବାରେ ଓ ସବାନ୍ଧବେ ଯୋଗଦେଇ ଉକ୍ତ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାର ତରଫରୁ ବିନମ୍ର ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଚନ୍ଦ୍ରଶେଖର ଶତପଥୀ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ମୁଖପାତ୍ର କୁଞ୍ଜବିହାରୀ ରାଉତ, କୋଷାଧ୍ୟକ୍ଷ ଟୁକୁଲା ପାଢ଼ୀ ମଞ୍ଚାସୀନ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲା ବେଳେ ସମ୍ପାଦକ ଅଶୋକ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ଜ୍ୟୋତି ରଞ୍ଜନ ମହାପାତ୍ର, ପଞ୍ଚାନନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.