
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଜଣେ ସ୍କୁଲ ଛାତ୍ରୀଙ୍କ ସମେତ ୮ ଜଣଙ୍କୁ ବୁଲା କୁକୁର କାମୁଡିଥିବା ଜଣାପଡିଛି । ଏନେଇ ସଇଁତଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ମତେ ବୁଲାକୁକୁର ସଇଁତଲା ବ୍ଲକ କଲୋନୀ ଏରିଆରେ ୩ ଜଣଙ୍କୁ କାମୁଡି ଥିବା ବେଳେ ସଇଁତଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଆଉ ୪ ଜଣଙ୍କୁ ଡାକ୍ତରଖାନା ପରିସରରେ ବୁଲା କୁକୁର କାମୁଡିଥିଲା । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିରେ ସଇଁତଲା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର କନ୍ୟା ଆଶ୍ରମରେ ଆଜି ଦିବା ୧୨ ଘଣ୍ଟା ସମୟରେ ସ୍କୁଲ କତ୍ତୃପକ୍ଷ ସ୍କୁଲ କେମ୍ପସ ଭିତରେ କମଳା ବଣ୍ଟନ କରୁଥିବା ବେଳେ ବୁଲା କୁକୁର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କାମୁଡିଥିଲା । ତେବେ ସ୍କୁଲ କତ୍ତୃପକ୍ଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ଆଣିଥିଲେ । ଛାତ୍ରୀ ଜଣକଙ୍କ ନାମ ସଂଯୁକ୍ତା ବଢ଼ାଇ ବୋଲି ଜଣାପଡିଛି । ସେହିପରି ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଲି ଗ୍ରାମର ଚୈତନ୍ୟ ସାହୁ, ମହେନ୍ଦ୍ର ସାହୁ, ବାଗମରା ଗ୍ରାମର ସଂକୀର୍ତନ କର୍ମୀଙ୍କୁ ବଲାଙ୍ଗିର ଭୀମଭୋଇ ବଡ଼ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଏହି ଡାକ୍ତରଖାନା ପରିସରରେ ବୁଲା କୁକୁରଗୁଡିକଙ୍କ କାମୁଡାର ଅନେକ ଲୋକେ ଶୀକାର ହେଉଥିବାର ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗିୟ କତ୍ତୃପକ୍ଷ ନିରବ ରହୁଥିବା ଦେଖିବାକୁ ମିଳିଛି । ଏଣୁ ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।