ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁରଠାରେ ଅବସ୍ଥିତ କଲ୍ୟାଣମଣ୍ଡପ ସଭାଗୃହରେ ଜିଲ୍ଲାସ୍ତରୀୟ କୁକୁଡ଼ା ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପଲଟ୍ରି ଫାର୍ମର୍ସ ଡେଭଲପ୍ମେଣ୍ଟ୍ ଫୋରମ୍ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଆବାହକ ଅଶୋକ ପ୍ରଧାନ ଅଧ୍ୟକ୍ଷତା କରି କୁକୁଡ଼ା ଚାଷୀମାନଙ୍କ ବିଭିନ୍ନ ସସମ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ କୁକୁଡ଼ା ଚାଷୀ ପ୍ରଦ୍ୟୁମ୍ନ ପରିଡ଼ା, ଫୋରମ୍ର ରାଜ୍ୟ ଉପସଭାପତି ଜନ୍ମେଜୟ ମହାନ୍ତି, ଅବନୀ ରଞ୍ଜନ ଦାଶ, ଡେଲାଙ୍ଗ ବ୍ଲକ୍ ଶାଖା ସଭାପତି ଗୋପାଳ ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ ପ୍ରଧାନ, ଆବିସ୍ ଫିସ୍ ଫିଡର କ୍ଷେତ୍ର ପରିଚାଳକ ହରପ୍ରସାଦ ବାରିକ, ସାଇ ପଲଟ୍ରି କେୟାର୍ର ଦେବଦତ୍ତ ପରିଡ଼ା ଓ ବିଶ୍ୱଜିତ୍ ଦାସଙ୍କ ସମେତ ଶହେରୁ ଉଦ୍ଧ୍ୱର୍ କୁକୁଡ଼ା ଚାଷୀ ଯୋଗ ଦେଇ ଆଜି ପର୍ଯ୍ୟନ୍ତ ହିତାଧିକାରୀମାନେ ଫନି କ୍ଷତିଗ୍ରସ୍ତ ସହାୟତା ନ ପାଇବା, ବିଦ୍ୟୁତ୍ ଯୋଗାଣ ଓ ବିଲ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସମୂହ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆମେ ବ୍ୟକ୍ତିଗତ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେବାରୁ କୌଣସି ସମସ୍ୟାର ସମାଧାନ ହେଉନାହିଁ ବୋଲି ଶ୍ରୀ ପରିଡ଼ା କହିଥିଲେ । ଏକତାର ଅଭାବରୁ ଅନେକ ଘାତ ପ୍ରତିଘାତ ତଥା ପ୍ରତିକୂଳ ପରିସ୍ଥିତି ଅତିକ୍ରମ କରିବା ପରେ ମାତ୍ର ଏକ ପ୍ରତିଶତ ଚାଷୀଙ୍କ ପାଇଁ ଫନି ସହାୟତା ବ୍ୟବସ୍ଥା କରାଯାଇ ପାରିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ । ଆଗାମୀ ୪ ଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ ମୋଡ଼ ସଭାରେ ସମସ୍ତ ଚାଷୀ ଯୋଗ ଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି ଅବସରରେ ସର୍ବସମ୍ମତିକ୍ରମେ ଅଶୋକ ପ୍ରଧାନ ଓ ପ୍ରଦ୍ୟୁମ୍ନ ପରିଡ଼ାଙ୍କୁ ଯଥାକ୍ରମେ ଫୋରମ୍ର ଅଧ୍ୟକ୍ଷ ଓ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ସେହିପରି ଫୋରମ୍ ବିଧିବଦ୍ଧ ଭାବେ ପଞ୍ଜିକରଣ ହେବା ପର୍ଯ୍ୟନ୍ତ ଉପସଭାପତି ଜନ୍ମେଜୟ ମହାନ୍ତିଙ୍କୁ କୋଷାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । କୁକୁଡ଼ା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟି ଆଗାମୀ ସୋମବାର ଦିନ ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ମଙ୍ଗଳବାର ଦିନ ଫୋରମ୍ର ଏକ ପ୍ରତିନିଧି ଦଳ ଆପିକଲ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟି କୁକୁଡ଼ା ଚାଷୀଙ୍କ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ଦେବାକୁ ଏହି ସମ୍ମିଳନୀରେ ନିଷ୍ପତ୍ତି ହୋଇଥିଲା । ଯୁବ କୁକୁଡ଼ା ଚାଷୀ ମାନସ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ ।