om academy

କେବଳ ସାଇନବୋର୍ଡରେ ସିମୀତ କୃଷି ପରାମର୍ଶ କେନ୍ଦ୍ର : ପରାମର୍ଶ ଦେବାକୁ ରହୁନାହାନ୍ତି କୃଷି ଅଧିକାରୀ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ତ୍ତମାନ ଚାଷର ସମୟ । ଧାନ ଚାଷ, ପନିପରିବା ଓ କପା ଚାଷରେ ଲାଗୁଛି ରୋଗ । ଏହି ରୋଗର ଉପଚାର କରିବା ପାଇଁ ଦେଓଗାଁ ବ୍ଳକ ପରିସରରେ ଥିବା କୃଷି ପରାମର୍ଶ କେନ୍ଦ୍ର ପ୍ରତି ଦିନ ସକାଳରୁ ଧାଇଁ ଆସୁଛନ୍ତି ଦେଓଗାଁ ବ୍ଳକର ଅର୍ଜୁନପୁରରୁ ରାମଚନ୍ଦ୍ରପୁରର ଚାଷୀମାନେ, ହେଲେ ଅଫିସ ଖୋଲା ରହୁଥିଲେ ମଧ୍ୟ ଅଧିକାରୀ କି ପରାମର୍ଶକାରୀ ଅଧିକାରୀ ରହୁ ନାହାନ୍ତି, ତେଣୁ ବାଧ୍ୟ ହୋଇ ଫେରି ଯାଉଛନ୍ତି ଚାଷୀମାନେ । ଗୁରୁବାର ଦେଓଗାଁ ବ୍ଳକର ବିଭିନ୍ନ ଗାଁ ଆସିଥିବା ଚା‌ଷୀମାନେ ଫେରି ଯାଉଥିବା ବେଳେ ଦେଓଗାଁ ବ୍ଳକ ଆମ ପ୍ରତିନିଧିଙ୍କ ସହ ସାକ୍ଷାତ କରି ଅଭିଯୋଗ କରିଥିଲେ । ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତ ଅର୍ଡ଼ା ଗାଁ ଚାଷୀ ତଥା ଗାଈବାହାଲ ସମିତି ସଭ୍ୟ ଛବିଲ ମାଝୀ କୃଷି ପରାମର୍ଶ କେନ୍ଦ୍ରକୁ ନିଜ ଚାଷ ଜମୀରେ କରାଯାଇଥିବା ବାଦାମ ଚାଷ ମରି ଯାଉଥିବାରୁ ଉପଚାର ପାଇଁ ପରାମର୍ଶ କରିବାକୁ ଆସିଥିଲେ । ସେହିପରି ଅର୍ଡ଼ା ଗାଁର ସାରଥୀ ସୁନା ବାଇଗଣ, ସିଂହାମୁଣ୍ଡା ପଞ୍ଚାୟତର ବୈଚନ୍ଦ୍ର ପଧାନ ଓ ଥବୀର ଖମାରୀ କପା ଚାଷ କରିଥିଲେ, କିନ୍ତୁ ସେ ସବୁ ଗଛ ନ‌ଷ୍ଟ ହୋଇଯାଉଛି । ଏହି ବିଷୟରେ ପରାମର୍ଶ କରିବାକୁ ଆସିଥିଲେ ବୈଚନ୍ଦ୍ର ଓ ଥବୀର, କିନ୍ତୁ ପରାମର୍ଶ ଦେବାକୁ ଅଧିକାରୀ ନଥିବାରୁ ମନ ଦୁଃଖରେ ଫେରିଯାଉଥିବା କହିଥିଲେ । ଏହି ସଂକ୍ରାନ୍ତରେ ଅନୁସନ୍ଧାନ କରାଯିବାରୁ ଜଣାପଡିଛି ଯେ, ଦେଓଗାଁ ବ୍ଳକରେ ଜଣେ ବ୍ଳକ କୃଷି ଅଧିକାରୀ, ଜଣେ ସହକାରୀ କୃଷି ଅଧିକାରୀ, ୩ଜଣ ଏଓ, ୨୬ଟି ପଞ୍ଚାୟତରେ ମାତ୍ର ୪ ଜଣ ଗ୍ରାମ୍ୟ କୃଷି କର୍ମୀ ରହୁଛନ୍ତି । ଦେଓଗାଁ ବ୍ଲକର କୃଷି ଅଧି ଦର୍ଶକ ତଥା ସେଲ ସେଣ୍ଟର ଦାୟିତ୍ୱରେ ଥିବା ଅମୂଲ୍ୟ ବେହେରାଙ୍କୁ କିଛି ମାସ ହେଲା ବଲାଙ୍ଗିର ଲର୍କିପାଲିରେ ଥିବା ଫାର୍ମ ଇନଚାର୍ଜ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିବାରୁ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା । ତେବେ ଏହି ସଂକ୍ରାନ୍ତରେ ସହକାରୀ କୃଷି ଅଧିକାରୀ ନାଏକଙ୍କୁ ପଚାରିବାରୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା । ସେହିପରି ଶ୍ରୀ ବେହେରାଙ୍କୁ ପଚାରିବାରୁ କିଛି ଦିନ ପାଇଁ ଫାର୍ମ ହାଉସରେ ରହିବା ପାଇଁ ନିର୍ଦେଶ ଅଛି ବୋଲି କହିଛନ୍ତି । ପ୍ରତି ଦିନ ଠିକ ଚାଷ ସମୟରେ ବଣ ଜଙ୍ଗଳ ଘେରା ଗାଁରୁ ଚାଷୀମାନେ କୃଷି ଅଧିକାରୀଙ୍କୁ ଭେଟିବା ପାଇଁ ଆସୁଥିବା ବେଳେ ମନ ଦୁଃଖରେ ଫେରୁଛନ୍ତି । ଦେଓଗାଁ ବ୍ଳକରୁ ବିଭିନ୍ନ ସମୟରେ ଅଧିକାରୀ ଓ କର୍ମଚାରୀଙ୍କୁ ଅନ୍ୟ ବ୍ଳକ କିମ୍ବା ବଲାଙ୍ଗିର ଟାଉନରେ ଅତିରିକ୍ତ ଦାୟିତ୍ୱ ଦେଉଥିବାରୁ ଚାଷୀମାନଙ୍କ ମନରେ ଅସନ୍ତୋଷ ଲାଗି ରହିଛି । ତେଣୁ ଚାଷୀଙ୍କୁ ପରାମର୍ଶ ଦେବା ପାଇଁ ତୁରନ୍ତ ଲର୍କିପାଲି ଫାର୍ମରେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଥିବା ଶ୍ରୀବେହେରାଙ୍କୁ ଫେରାଇ ଆଣିବାକୁ ଚାଷୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.