ତିନି କଳା କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗ : କୃଷକଙ୍କ ଧୈର୍ଯ୍ୟ, ସଞ୍ଜମ ଓ ଏକତାର ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ତିନି କଳା କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କରିବା ପରେ ବଲାଙ୍ଗିର ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଏକ ପ୍ରେସବିବୃତି ପ୍ରକାଶ କରାଯାଇ ଏହା ଦେଶର ଅଗଣିତ କୃଷକଙ୍କ ଧୈର୍ଯ୍ୟ, ସଞ୍ଜମ ଏବଂ ଏକତାର ବିଜୟ ବୋଲି କୁହାଯାଇଛି । ଦେଶର ସମ୍ବିଧାନକୁ ଅଣଦେଖା କରି ସମସ୍ତ ଆଇନ କାନୁନକୁ ପାଦରେ ଦଳି ଅହମିକାର ନଗ୍ନ ପ୍ରଦର୍ଶନ ପୂର୍ବକ କେନ୍ଦ୍ର ସରକାର କୋଭିଡ ମହାମାରୀ ସମୟରେ ଏଇ ତିନି କଳା କୃଷି ଆଇନକୁ କେବଳ କର୍ପୋରେଟର ସ୍ୱାର୍ଥସିଦ୍ଧି ସକାଶେ ଆଣିଥିଲେ । ଏହା ବହୁ ଦିଗରୁ କୃଷକ ବିରୋଧୀ ଥିଲା । ପ୍ରାୟ ଏକବର୍ଷ ପରେ ଏହି ତିନି କଳା କୃଷି ଆଇନକୁ ପ୍ରତ୍ୟାହାର କରାଯିବା ଏହାକୁ ପ୍ରମାଣିତ କରୁଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଭାରତୀୟ କୃଷକମାନଙ୍କ ସଙ୍ଗଠିତ ଶକ୍ତି ଓ ହାର୍‌ ନ ମାନିବାର ଦୃଢ଼ ମନୋବଳ ସହ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ଐକ୍ୟବଦ୍ଧ ଲଢ଼େଇ ପୁଣି ଥରେ ଭାରତର ଗଣତନ୍ତ୍ରର ଏକ ଉଜ୍ଜ୍ୱଳ ଦିଗକୁ ରେଖାଙ୍କିତ କରୁଛି । ସଞ୍ଜୁକ୍ତ କିଷାନ ମୋର୍ଚ୍ଚାର ପ୍ରମୁଖ ଦାବୀଗୁଡିକ ମଧ୍ୟରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନର ଆଇନଗତ ସୁରକ୍ଷା ପ୍ରଦାନ ଏକ ମୁଖ୍ୟ ଦାବୀ ହୋଇରହିଛି । ଏହି ତିନିକଳା କୃଷି ଆଇନ ପ୍ରତ୍ୟାହାର ସହ ଅନ୍ୟ ଦାବୀଗୁଡିକ ଉପରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ କୃଷକମାନଙ୍କ ସ୍ୱାର୍ଥରେ ଉପଯୁକ୍ତ ପଦକ୍ଷେପ ନିଆଯାଉ ବୋଲି ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି । ସର୍ବଭାରତୀୟ ସ୍ତରର ଏଇ ଐତିହାସିକ କୃଷକ ଆନ୍ଦୋଳନ ଓଡିଶାର ତଥା ପଶ୍ଚିମ ଓଡିଶାର କୃଷକ ସଙ୍ଗଠନ ସହ ଅବିଭକ୍ତ ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ସଙ୍ଗଠନ ସାମିଲ ହୋଇ ଲଢ଼େଇ କରି ଆସିଛି । ଆଗାମୀ ଦିନରେ ଯେକୌଣସି ସରକାର କୃଷି ତଥା କୃଷକ ବିରୋଧୀ ଓ କର୍ପୋରେଟ ସ୍ୱାର୍ଥରେ ଯଦି କୌଣସି ବିଧେୟକ ଆଣନ୍ତି ତା’ହେଲେ ଏ ଅଞ୍ଚଳର କୃଷକମାନେ ଲଢ଼େଇକୁ ଆହୁରି ତୀବ୍ର କରିବାରେ ପଛଘୁଞ୍ଚା ଦେବେ ନାହିଁ ବୋଲି କୁହାଯାଇଛି । ପ୍ରାୟ ୭ ଶହ କୃଷକଙ୍କ ବଳିଦାନ ପରେ ସରକାର ନିଜର ସମସ୍ତ କୁଶକ୍ତି ଖଟାଇବା ସତ୍ତ୍ୱେ ମଧ୍ୟ ଯେତେବେଳେ କୃଷକମାନେ ନିଜ ଆନ୍ଦୋଳନରୁ ଓହରିଯିବାର କୌଣସି ସଙ୍କେତ ଦେଲେ ନାହିଁ ତା’ପରେ ଯାଇ ସରକାରଙ୍କ ଚୈତନ୍ୟ ଉଦୟ ହୋଇଛି ଏବଂ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଦିବଙ୍ଗତ କୃଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଐତିହାସିକ ଆନ୍ଦୋଳନ କୃଷକମାନଙ୍କ ଧୈର୍ଯ୍ୟ, ସଂଯମ ଓ ଏକତାର ପ୍ରତିଫଳନ ବୋଲି ମିଳିତ କୃଷକ ସଙ୍ଗଠନ ପକ୍ଷରୁ ଚାଷୀନେତା ଅରୁଣ ମିଶ୍ର, ଆକାଶ ମିଶ୍ର, ସୌମେନ୍ଦ୍ର ପରିଚ୍ଛା, ଯତି ପ୍ରଧାନ, ବିପ୍ରଚରଣ ସାହୁ, ହିମାଂଶୁ ସାହୁ, ବିଭୂଦତ୍ତ ମିଶ୍ର ପ୍ରେସ୍‌ ବିବୃତିରେ କହିଛନ୍ତି ।

Leave A Reply

Your email address will not be published.