
• ଜୈବିକ ଖତର ଉପକାରୀତା ସମ୍ପର୍କରେ ଜନସଚେତନତା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଆନୁକୂଲ୍ୟରେ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ପାଳିତ ହୋଇଯାଇଛି । ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଯୋଗଦେଇ ଛତ୍ରପୁର ଆଶ୍ରମରୁ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆତ୍ମନିର୍ଭର କୃଷକ ଅଭିଯାନର ମହତ୍ତ୍ୱ ଏବଂ ପରମପିତା ପରମାତ୍ମାଙ୍କ ସ୍ମୃତିରେ ରହି ସ୍ବର୍ଣ୍ଣିମ ସଙ୍କଳ୍ପକୁ ସାକାର କରିବା ନିମିତ୍ତ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଶ୍ରୀମତୀ ପ୍ରଧାନ ଆହ୍ୱାନ କରିଥିଲେ । ଆତ୍ମନିର୍ଭର କୃଷକ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ, କୃଷିକ୍ଷେତ୍ରରେ ରାସାୟନିକ ସାରର ପ୍ରୟୋଗ, କୀଟନାଶକ ଔଷଧ ପ୍ରୟୋଗ ଫଳରେ ସ୍ୱାସ୍ଥ୍ୟକ୍ଷେତ୍ରରେ ମାନବସମାଜ ବିରାଟ ଅନ୍ଧକାରମୟ ପରିସ୍ଥିତି ଦିଗରେ ଗତି କରୁଅଛି । ଯାହା ଜନସମାଜ ବିଷମ ସଙ୍କଟ ଦେଇ ଗତିକରୁଛନ୍ତି । ଫଳରେ ଆଧୁନିକ ମଣିଷ ସଭ୍ୟତା କର୍କଟରୋଗ, ହୃଦରୋଗ, ଡାଇବେଟିସ, ଗ୍ୟାଷ୍ଟିକ, ବଦହଜମି, ସ୍ନାୟୁ-ଦୁର୍ବଳ, ତରୁଣ ବୟସରେ ବାର୍ଦ୍ଧକ୍ୟତା ଆଦି ବହୁ ଦୂରାରୋଗ୍ୟରେ ସମ୍ମୁଖୀନ ହେଉଅଛି । ତେଣୁ ବିପୁଳ ପରିମାଣରେ କୃଷିଜାତଦ୍ରବ୍ୟର ଅମଳ ନିମନ୍ତେ କୀଟନାଶକ ଔଷଧ ଓ କୃଷିକ୍ଷେତ୍ରରେ ରାସାୟନିକ ସାରର ପ୍ରୟୋଗ ବନ୍ଦ କରିବା ନିମନ୍ତେ ଗ୍ରାମାଭିମୁଖୀ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରାଯାଇଛି । ଛତ୍ରପୁର ବ୍ଳକ୍ ଅଧୀନସ୍ଥ ପ୍ରମୁଖ ୫୮ଟି ଗ୍ରାମ ଯଥା ସିନ୍ଦୁରପୁର, ଦନେଇବ୍ରହ୍ମପୁର, ଅଗସ୍ତିନୂଆଁଗାଁ, ପୋଡାପଦର, ଚିକଲଖଣ୍ଡି, ବିପୁଳିଙ୍ଗି, ବଉଳଗାଁ, କଣମଣା, ଆର୍ଯ୍ୟପଲ୍ଲୀ, ରାଜପୁର, କାଚରା, ହଂସପୁର, ମାଧପୁର, ଗଙ୍ଗାପୁର, ଆଦି ପଞ୍ଚାୟତର ବହୁ ଗ୍ରାମରେ ଏହି ସଚେତନତା କରାଯାଇଥିଲା । ଗ୍ରାମର ଯୁବଗୋଷ୍ଠୀ, ଏସ୍.ଏଚ.ଜି. ମହିଳା, ସ୍ୱୟଂସହାୟକ ଗୋଷ୍ଠୀ, ଆଶାଦିଦି, ଅଙ୍ଗନାବାଡ଼ି ଦିଦି, ଅମୀନ, ଆରଆଇ, କୃଷିଜୀବୀ, କୃଷି ଓ ଉଦ୍ୟାନ ବିଭାଗର କର୍ମଚାରୀ, ଗାଁ ସାଥୀ, ଛାତ୍ରଛାତ୍ରୀଙ୍କୁ ପ୍ରାଚୀନ ଯୁଗରେ ବ୍ୟବହୃତ ପିଡ଼ିଆ, ଖତ ଓ ଜୈବିକ ସାର ର ମହତ୍ତ୍ୱ ଓ ଏହାର ବ୍ୟବହାରର ଉପକାରୀତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀଙ୍କ ନେତ୍ତୃତ୍ୱରେ ଗାଁ ଅଭିଯାନ କ୍ରମେ ବାହାରିଥିବା ଏହି ରାଲିରେ ବହୁ ବ୍ରହ୍ମାକୁମାରୀ ଭଉଣୀ ଓ ଭାଇ ମାନେ ଏହି ଆତ୍ମନିର୍ଭର କୃଷକ ଅଭିଯାନରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ, ପଞ୍ଚାୟତ ସଦସ୍ୟ ମାନଙ୍କ ଯୋଗଦାନ ଏବଂ ଏ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରାଯାଇଥିଲା । ୧୯ ନମ୍ବର ଜୋନ୍ ସଦସ୍ୟା ରଶ୍ମୀତା ନାହାକ ମଧ୍ୟ ଏହି ପ୍ରଚାର ରାଲିର ଗୋଟିଏ ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଗୌରବମଣ୍ଡନ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟକାର୍ଯ୍ୟାଳୟ ମାଉଣ୍ଟଆବୁର ରାଜ୍-ଯୋଗ ରିସର୍ଚ୍ଚ ସେଣ୍ଟର ଏବଂ ଗ୍ରାମ ବିକାଶର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଓ ସାଫଲ୍ୟ କରାଯାଇ ଜୈବିକ ଖତର ଉପକାରୀତା ସମ୍ପର୍କରେ ଆଲୋକପାତ କରାଯାଇ ଜନସଚେତନତା କରାଯାଇଛି ।