oom

କୋଶଳାଂଚଳରେ ଘରକୁ ଘର କୋଭିଡ ପରୀକ୍ଷା କରିବା ପାଇଁ ଦାବୀ ଜଣାଇଲା କୋସଲ ରାଜ୍ୟ ସମନ୍ୱୟ ସମିତି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ବୈଠକ ସ୍ଥାନୀୟ କୋସଲ ଫାଉଣ୍ଡେସନ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ସମନ୍ୱୟ ସମିତିର ପାର୍ଲ୍ୟାମେଣ୍ଟ ଜୋନର ଆବାହକ ଶରତ ହୋତାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାମାଜିକ ଦୂରତ୍ୱକୁ ଆଖି ଆଗରେ ରଖି କେବଳ କୋର କମିଟିର ସଦସ୍ୟମାନଙ୍କୁ ନେଇ ବୈଠକ କରାଯାଇଥିଲା । ଏହି ବୈଠକର ପ୍ରାରଂଭରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବଲାଙ୍ଗିର ଜିଲ୍ଲା ଓ କୋଶଳାଂଚଳର ଦିବଙ୍ଗତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଓଡିଶା ପ୍ରଶାସନର ବିଫଳତା ଓ ଆଂଚଳିକ ବୈଷମ୍ୟ ଜନିତ ମନୋଭାବ ଯୋଗୁଁ କୋଶଳାଂଚଳରେ ଆଜି କରୋନା ସଂକ୍ରମଣ ଓ ତତ୍‌ଜନିତ ମୃତ୍ୟୁହାର ବ୍ୟାପକ ହୋଇଥିବାରୁ ତାର ତୀବ୍ର ଉତ୍ସନା କରାଯାଇଥିଲା । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ଓ କୋଶଳାଂଚଳକୁ କରୋନା ପ୍ରବଣ ଅଂଚଳ ରୂପେ ଘୋଷଣା କରି ସରକାର ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ଗଂଜାମ ଜିଲ୍ଲା ଭଳି ସଟ୍ ଡ଼ାଉନ୍‌ କରି ଘରକୁ ଘର କୋଭିଡ୍ ଟେଷ୍ଟ କରିବା, କୋଭିଡ୍ ଟେଷ୍ଟ ସେଣ୍ଟର ବକେନ୍ଦ୍ରୀକରଣ କରିବା, ପ୍ରବଳ ଭିଡ ହେଉଥିବା ଦୈନିକ ବଜାରକୁ ବକେନ୍ଦ୍ରୀକରଣ କରି ଅନ୍ୟୁନ ୭ଟି ଜାଗାରେ ସ୍ଥାନୀତ କରିବା, ସାଧାରଣ ରୋଗୀମାନଙ୍କୁ ଚିକିତ୍ସା କରିବାକୁ ମନା କରୁଥିବା ଡାକ୍ତରମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବା, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରରେ ଦେଖା ଦେଉଥିବା ଅବ୍ୟବସ୍ଥା ଦୂର କରିବା, ବଲାଙ୍ଗିରର କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କ୍ଷେତ୍ରରେ ହେଉଥିବା ଅବହେଳା ଦୂର କରିବା, ବଲାଙ୍ଗିର ଜିଲ୍ଲା ଓ କୋଶଳାଂଚଳରେ ଅଧିକ ସ୍ୱାସ୍ଥ୍ୟ ସାଧନ ସୃଷ୍ଟି କରି ଆଧୁନିକତମ ସେବା ଯୋଗାଇ ଦେବା, କୋଭିଡ୍ ଚିକିତ୍ସା ପାଇଁ ଅଧିକ ଔଷଧ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ପ୍ରସ୍ତୁତି ରଖିବା ତଥା ପ୍ରତିୱାର୍ଡରେ ନିୟମିତ ସେନିଟାଇଜ କରିବା ଇତ୍ୟାଦି ୯ ଦଫା ଦାବୀ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାବୀପତ୍ର ଦିଆଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ସରକାର ତଥା ଜିଲ୍ଲା ପ୍ରଶାସନ ଏହା ଉପରେ ଯଥା ଶୀଘ୍ର ପଦକ୍ଷେପ ନନେଲେ ତୀବ୍ର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ, ବରିଷ୍ଠ ସଂଗଠକ ଅବଦୁଲ ଜମାଲ ଖାଁ, କେନ୍ଦ୍ରୀୟ ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ଶ୍ରମିକନେତା ରବିଶଙ୍କର ମିଶ୍ର, ଯୁବ ସଂଗଠକ ଡୋଳାମଣି ପ୍ରଧାନ, ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.