ପଦ୍ମପୁର, (ନିରୋଜ କୁମାର ପାଣୀ) : ଉଦୀୟମାନ ଯୁବକ ସଂଘ କମ୍ୟୁନିଟି ସେଣ୍ଟରର ବିଜେପୁର ବ୍ଲକ୍ ଅନ୍ତର୍ଗତ ବିଜେପୁର ଜୋନ୍ ସ୍ତରୀୟ ସାଂଗଠନିକ ବୈଠକ ମୁକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଲେଇପାଲି, ସମଲାଇପଦର, ବିଜେପୁର, ଗୁଡ଼ିମୁଣ୍ଡା, ଚାରପାଲି, କଲଙ୍ଗାପାଲି, କର୍ଲେ ଓ ରାମପୁର ଗ୍ରାମରୁ ଶତାଧିକ ବ୍ୟକ୍ତି ଯୋଗଦାନ କରିଥିଲେ । ସାମାଜିକ ରୀତିନୀତିରେ କୁସଂସ୍କାର ଓ ବାହ୍ୟ ଆଡ଼ମ୍ବର ବର୍ଜନ କରି ଏକ ଉନ୍ନତ ସମାଜ ଗଠନ ପାଇଁ ଯୁବ ସମାଜ ଆଗେଇ ଆସିବା ପାଇଁ ସୁଶାନ୍ତ ପଟେଲ ଆହ୍ୱାନ ଦେଇଥିଲେ । କୌଳିକ ବୃତ୍ତିରେ ଆଧୁନିକ ବୈଜ୍ଞାନିକ କୌଶଳ ପ୍ରୟୋଗ କରି ଅଧିକ ଉତ୍ପାଦନ ସାଙ୍ଗକୁ ଲୋକଙ୍କ ଖାଦ୍ୟାଭାବ ଦୂର କରିବା ଓ ଆର୍ଥିକ ଅଭିବୃଦ୍ଧି ସମ୍ଭବପର ବୋଲି ଯଦୁମଣି ପଟେଲ ଉଦବୋଧନ ଦେଇଥିବା ବେଳେ ସମାଜର ଏକ ସ୍ଥାୟୀ କାର୍ଯ୍ୟାଳୟ ବିଜେପୁରଠାରେ ନିର୍ମାଣ କରାଯିବା ପାଇଁ ସର୍ବସମ୍ମତ ମତପ୍ରକାଶ ପାଇଥିଲା । ସର୍ବଶ୍ରୀ ନିକୁଞ୍ଜ ପଟେଲ, ପ୍ରଶାନ୍ତ ପଟେଲ, ରସିକ ପଟେଲ, ବିହାରୀ ପଟେଲ, କ୍ଷମାନିଧି ପଟେଲ, ଗିରୀଶ ପଟେଲ, ସୁଧାଂଶୁ ଚୌଧୁରୀ, ପ୍ରମୋଦ ପଟେଲଙ୍କୁ ନେଇ ଜୋନାଲ କମିଟି ଗଠନ କରାଯାଇଥିବା ବେଳେ ରଣଜିତ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରେମରାଜ ପଟେଲ ।