jayashree

ଉତ୍ତରପ୍ରଦେଶର ବିଭାଜନ ଅପେକ୍ଷା କୋସଲ ରାଜ୍ୟ ଗଠନ ବେଶି ଜରୁରୀ, ପ୍ରଧାନମନ୍ତ୍ରୀଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତିର ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜନୈତିକ ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶକୁ ବିଭାଜିନ କରି ୩ଟି ଅଲଗା ରାଜ୍ୟ ଗଠନ କରାଯାଇପାରେ ବୋଲି ଆକଳନ କରାଯାଉଛି । ଏହି ଘଟଣାବଳୀ ଉପରେ ସ୍ୱତନ୍ତ୍ର କୋସଲ ରାଜ୍ୟ ଆନ୍ଦୋଳନକୁ ନେତୃତ୍ୱ ଦେଇ ଆସୁଥିବା କୋସଲ ରାଜ୍ୟ ସମନ୍ୱୟ ସମିତି ସତର୍କ ଦୃଷ୍ଟି ରଖିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ବିଭାଜନ କରି ଉତ୍ତରପ୍ରଦେଶ, ପୂର୍ବାଂଚଳ ଓ ବୁନ୍ଦେଲଖଣ୍ଡ ପ୍ରଦେଶ ଗଠନ କରାଯାଇପାରେ ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ୨୦୦୦ ମସିହାରେ ଉତ୍ତର ପ୍ରଦେଶରୁ ଉତ୍ତରାଖଣ୍ଡ ଅଲଗା ହୋଇସାରିଛି । କିନ୍ତୁ କୋସଲ ରାଜ୍ୟ ଦାବୀ ବୁନ୍ଦେଲଖଣ୍ଡ ଓ ପୂର୍ବାଂଚଳ ରାଜ୍ୟ ଦାବୀ ଅପେକ୍ଷା ବହୁ ପୂରୁଣା । ଏହା ଛଡା କୋସଲାଂଚଳର ଭାଷା, ସଂସ୍କୃତି ଓ ଇତିହାସ ଓଡିଶା ଠାରୁ ସମ୍ପୁର୍ଣ୍ଣ ଅଲଗା । ସେଥି ପାଇଁ ୧୯୩୬ ଓ ୪୮ ଏଭଳି ଦୁଇଟି ପର୍ଯ୍ୟାୟରେ ଓଡିଶା ସହ କୋସଲାଂଚଳର ବିଭିନ୍ନ ଅଂଚଳ ଓ ତତ୍କାଳୀନ ଗଡଜାତ ମିଶିଥିଲେ ମଧ୍ୟ ଆଜିଯାଏ ଓଡିଶା ପ୍ରଶାସନ କୋଶଳାଂଚଳକୁ ନିଜର କରି ପାରିନାହିଁ । ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଉପକୂଳ ଓଡିଶା ଓ କୋଶଲାଂଚଳ ପ୍ରାୟତଃ ଭିନ୍ନ ମତପୋଷଣ କରିଥାନ୍ତି । ପୂର୍ବ ଓଡିଶା ଯେତେବେଳେ କଂଗ୍ରେସ ଦଳକୁ ସମର୍ଥନ ଦେଉଥିଲା ସେତେବେଳେ ଅତିତରେ କୋସଳାଂଚଳ ସମସ୍ତ ପାର୍ଟିକୁ ସମର୍ଥନ ଦେଉଥିଲା । ଠିକ୍‌ ସେହିଭଳି ଉପକୂଳ ଓଡିଶା ଗତ ଦୁଇ ଦଶନ୍ଧି ଧରି ଶାସକ ବିଜେଡିକୁ ସମର୍ଥନ ଦେଉଥିବା ବେଳେ କୋଶଳାଂଚଳ ବିଭିନ୍ନ ସମୟରେ କଂଗ୍ରେସ ଓ ବିଜେପିକୁ ବିପୁଳ ସମର୍ଥନ ଦେଇଛି । ଏଭଳିକି ବିଗତ ଲୋକସଭା ନିର୍ବାଚନରେ କୋସଳାଂଚଳର ସମସ୍ତ ଲୋକସଭା ସିଟ୍‌ରେ ବିଜେପି ଜିତିଛି । ଏଭଳି ସ୍ଥିତିରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବୀକୁ ସମର୍ଥନ କରିବା ବିଜେପିର ନୈତିକ ଦାୟିତ୍ୱ । ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଏହି ଦୃଷ୍ଟିରୁ ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରଦୋମ କୁମାର ମିଶ୍ର ଅନୁରୋଧ କରିଛନ୍ତି । କୋସଲାଂଚଳର ଲୋକେ ଗତ ଲୋକସଭା ନିର୍ବାଚନରେ ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ ନିର୍ବାଚିତ ବିଜେପି ସାଂସଦମାନେ ମଧ୍ୟ ନୈତିକତା ଦୃଷ୍ଟି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀ ହାସଲ ପାଇଁ ଦିଲ୍ଲୀରେ ଲବି କରିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ କୋସଲ ଆନ୍ଦୋଳନକୁ ଜୋରଦାର କରିବାକୁ କୋସଲ ଦାବୀ ନେଇ ସ୍ୱରୋତ୍ତଳନ କରୁଥିବା ବିଶିଷ୍ଟ ଛୋଟ ଛୋଟ ସଂଗଠନ ଓ ବୁଦ୍ଧିଜିବୀମାନଙ୍କୁ ଏକତ୍ରିତ କରି ଏକ ବିରାଟ କୋସଲ ଆନ୍ଦୋଳନ କରିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତି ପ୍ରୟାସ କରିବ ବୋଲି ଶ୍ରୀ ମିଶ୍ର ସଂକେତ ଦେଇଛନ୍ତି ।

Leave A Reply

Your email address will not be published.