centurian jitm

ଜୟ ନାରାୟଣ ମିଶ୍ର ଓ କୋଶଲାଂଚଳର ଅନ୍ୟ ବିଧାୟକ ଓ ସାଂସଦମାନଙ୍କୁ ପ୍ରମୋଦ ମିଶ୍ରଙ୍କ ଅନୁରୋଧ : ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଓ ବନ୍ଦେ ଉତ୍କଳ ଜନନୀର ପ୍ରତାହାର ପାଇଁ ବିଧାନସଭା ଓ ପାର୍ଲ୍ୟାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଣନ୍ତୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପ୍ରତି ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବୃତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । କୋଶଲ ରାଜ୍ୟ ଦାବୀ ସପକ୍ଷରେ ମତ ଦେଇଥିବାରୁ ଓ ବନ୍ଦେ ଉତ୍କଳ ଜନନୀ ପ୍ରାସଂଗିକତା ପ୍ରତି ପ୍ରଶ୍ନବାଦୀ ସୃଷ୍ଟି କରିଥିବାରୁ ଶ୍ରୀ ମିଶ୍ରଙ୍କୁ କୋଶଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଛି । ଅତୀତରେ ମଧ୍ୟ ତତ୍କାଳୀନ ଲୋଇସିଂହା ବିଧାୟକ ବାଳ ଗୋପାଳ ମିଶ୍ର ଯେତେବେଳେ ବିଧାନସଭାରେ କୋଶଲ ପ୍ରସଙ୍ଗ ଉଠାଇଥିଲେ ଓ ପରବର୍ତ୍ତୀ ସମୟରେ ରଥଯାତ୍ରା କରିଥିଲେ ସେତେବେଳେ ସମଗ୍ର କୋଶଳାଂଚଳରେ ତାଙ୍କୁ ବ୍ୟାପକ ସମର୍ଥନ ଦିଆଯାଇଥିଲା । ବିଭିନ୍ନ ସମୟରେ କୋଶଲ ଦାବୀ ସଂପର୍କରେ ମତ ଦେଇ ପୂର୍ବତନ ମନ୍ତ୍ରୀ ନବ ଦାସ, ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ପ୍ରମୁଖଙ୍କୁ କୋଶଲ ଆନ୍ଦୋଳନ ତରଫରୁ ବ୍ୟାପକ ସମର୍ଥନ ଦିଆଯାଇଥିଲା । କୋଶଲ ଆନ୍ଦୋଳନ ସହ ସଂପର୍କୀତ ୨ଜଣ ବନ୍ଧୁ ସ୍ୱର୍ଗତ ସୁବଳ ସାହୁ ଓ ପ୍ରଦୀପ ପୁରୋହିତ ବିଧାୟକ ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦିଆଯିବା ପ୍ରସଙ୍ଗକୁ ବିରୋଧ କରିଥିବାରୁ ପୂର୍ବତନ ମନ୍ତ୍ରୀ ସୁଶାନ୍ତି ସିଂହଙ୍କ ମଧ୍ୟ ବିପୁଳ ସମର୍ଥନ ଦିଆଯାଇଥିଲା । କିନ୍ତୁ ଆଜି ଯାଏ ବିଧାନସଭା କିମ୍ବା ପାର୍ଲ୍ୟାମେଣ୍ଟରେ କୋଶଲ ରାଜ୍ୟ ଦାବୀ ପାଇଁ କିମ୍ବା ବନ୍ଦେ ଉତ୍କଳ ଜନନୀର ରାଜ୍ୟ ସଂଗୀତ ମର୍ଯ୍ୟାଦା ପ୍ରତ୍ୟାହାର ପାଇଁ କୌଣସି ବିଧିବଦ୍ଧ ପ୍ରସ୍ତାବ ଆସିପାରିଲା ନାହିଁ । ଅନ୍ୟ ପକ୍ଷରେ ଏ ଅଂଚଳର କିଛି ବିଧାୟକ ଓ ମନ୍ତ୍ରୀ ଯେଉଁମାନେ ନିର୍ବାଚନ ପୂର୍ବରୁ କୋଶଲ ଦାବୀକୁ ସମର୍ଥନ କରୁଥିଲେ ନିର୍ବାଚିତ ହେଲା ପରେ ସେ ପ୍ରସଙ୍ଗରେ ମୁହଁ ଖୋଳୁ ନାହାନ୍ତି ତାହାକି ଦୁର୍ଭାଗ୍ୟ ଜନକ ଅଟେ । ତେଣୁ ବର୍ତ୍ତମାନ ସମୟ ଆସିଯାଇଛି ଯେ ଦଳମତ ନିର୍ବିଶେଷରେ ତେଲେଙ୍ଗାନା ଓ ଛତିଶଗଡ ଭଳି ସବୁ ନିର୍ବାଚିତ ବିଧାୟକ ଓ ସାଂସଦ ସ୍ୱତନ୍ତ୍ର କେସଲ ରାଜ୍ୟ ଦାବି ସପକ୍ଷରେ ବିଧାନସଭା ଓ ପାର୍ଲ୍ୟାମେଣ୍ଟରେ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ । ଏହା ଛଡା ସଂବିଧାନରେ ପ୍ରାଦେଶିକ ସଂଗୀତର ବିଧି ବ୍ୟବସ୍ଥା ନଥିବାରୁ ତଥା ୨କୋଟି କୋଶଲବାସୀ ବସବାସ କରୁଥିବା କୋଶଳାଂଚଳରେ ବନ୍ଦେ ଉତ୍କଳ ଜନନୀର ପ୍ରାସଙ୍ଗିକତା ନଥିବାରୁ ତାର ପ୍ରତ୍ୟାହାର ପାଇଁ ମଧ୍ୟ ବିଧିବଦ୍ଧ ପ୍ରସ୍ତାବ ଆଗତ କରାଯାଉ । ଏ ଅଞ୍ଚଳର ୨ଜଣ କେନ୍ଦ୍ରମନ୍ତ୍ରୀ, ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଏଥର କ୍ୟାବିନେଟରେ ସ୍ଥାନୀତ ହୋଇଛନ୍ତି । ତେଣୁ କୋଶଳ ଦାବୀ ଆମ ଦଳର ଏଜେଣ୍ଡାରେ ନାହିଁ ବୋଲି କହିବା ପରିବର୍ତ୍ତେ ସେମାନେ କୋଶଲ ରାଜ୍ୟ କିଭଳି ଭାବରେ ଗଠନ କରାଯାଇପାରିବ ତା ପାଇଁ ବିଧିବଦ୍ଧ ପଦକ୍ଷେପ ନିଅନ୍ତୁ । ରାଜନୈତିକ ଓଡିଶାରେ କୋଶଳାଂଚଳ ହେଉଛି ବିଜେପିର କେନ୍ଦ୍ର ସ୍ଥଳୀ । ବିଜେପିର ଦୁର୍ବିପାକ ସମୟରେ କୋଶଳାଂଚଳ ବିଜେପିକୁ ବହୁତ ସହଯୋଗ କରିଛି । ତେଣୁ ଏବେ ଡବଲ ଇଂଜିନ ସରକାର ଚାଲିଥିବା ବେଳେ ସଂବିଧାନର ଧାରା – ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀକୁ ବିଜେପି ସମର୍ଥନ କରି ନିଜର ରାଜନୈତିକ ଏଜେଣ୍ଡାରେ ସ୍ଥାନୀତ କରୁ । ଏହାଛଡା ଯଦି ରାଜନୈତିକ ଦୁର୍ବିପାକରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଉଭୟ ବିଜେଡି ଓ କଂଗ୍ରେସ ଦଳ ତଥା ଅନ୍ୟାନ୍ୟ ରାଜନୈତିକ ଦଳମାନେ ମଧ୍ୟ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀକୁ ଖୋଲାଖୋଲି ଭାବରେ ସମର୍ଥନ କରନ୍ତୁ । ଏହା ଛଡା କୋଶଲ ଦାବୀ ବିରୁଦ୍ଧରେ ମତ ଦେଉଥିବା ନେତା ମନ୍ତ୍ରୀମାନଙ୍କୁ କୋଶଳାଂଚଳରେ ଜନସାଧାରଣ ରାଜ ରାସ୍ତାରେ ବିରୋଧ କରନ୍ତୁ ବୋଲି କୋସଳ ଆନ୍ଦୋଳନର ନେତା ଶ୍ରୀ ପ୍ରମୋଦ ମିଶ୍ର ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.