oum

ବିଜେପି ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବଦଳରେ କୋଶଳ ରାଜ୍ୟ ଦାବୀ କରୁ : କୋଶଳ ରାଜ୍ୟ ସମନ୍ୱୟ ସମିତି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟ ଅତୀତରେ ଭାରତୀୟ ଜନତା ପାର୍ଟିର କୋଶଳାଞ୍ଚଳର ନେତାମାନେ ସମ୍ବଲପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଧ୍ୟକ୍ଷଙ୍କ ବ୍ୟତିରେକ ଅନ୍ୟ କୌଣସି ସଦସ୍ୟ ନ ଥିବାରୁ ସେମାନେ ପୂର୍ଣ୍ଣାଙ୍ଗ ବିକାଶ ପରିଷଦ ଦାବୀ କରିଛନ୍ତି ଏବଂ ଏହି ପ୍ରସଙ୍ଗକୁ ନେଇ ଭୂବନେଶ୍ୱର ଠାରେ ଗଣଧାରଣା ଦେବାକୁ ମଧ୍ୟ ଯୋଜନା କରିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପୂର୍ଣ୍ଣାଙ୍ଗ ହେଲେ ମଧ୍ୟ କ’ଣ କୋଶଳାଞ୍ଚଳର ସମସ୍ୟା ସମାଧାନ ହୋଇପାରିବ କି? ବିଭିନ୍ନ ପଟରୁ ଦାବୀ ହେଲେ ରାଜ୍ୟ ସରକାର ନିଜର ରାଜନୈତିକ ସହଯୋଗୀ ଓ କର୍ମୀମାନଙ୍କୁ ନେଇ ବିକାଶ ପରିଷଦରେ ଥଇଥାନ କରିଦେଇ ପାରନ୍ତି । କିନ୍ତୁ ଏଥିରେ କୋଶଳାଞ୍ଚଳର କୌଣସି ଲାଭ ହେବନାହିଁ । କାରଣ ୧୯୯୬ ମସିହାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେଲା ପରେ ଗଲା ୨୫ ବର୍ଷ ମଧ୍ୟରେ ଏହି ଦନ୍ତବିହୀନ ବିକାଶ ପରିଷଦ କୋଶଳାଞ୍ଚଳର କୌଣସି ପ୍ରକାର ବିକାଶ କରିପାରି ନାହିଁ । ଏହି ସାଇନବୋଡର଼୍ ସଙ୍ଗଠନ ଟି କେବଳ ରାଜନୈତିକ ଥଇଥାନର ଏକ କେନ୍ଦ୍ର ହୋଇ ଠିକାଦାର ଓ ସପ୍ଲାୟର୍‌ସ୍‌ ମାନଙ୍କୁ ପୋଷିବାରେ ଲାଗିଛି । ଏହି ପରିଷଦର ନିଜସ୍ୱ ବଜେଟ୍‌ ତିଆରି କରିବାର କ୍ଷମତା ନ ଥିବାରୁ ତଥା ଏହାର ସାମ୍ବିଧାନିକ ମାନ୍ୟତା ନ ଥିବାରୁ ଏହା ଯୋଜନା ଓ ଉନ୍ନୟନ ବିଭାଗରେ ଏକ କର୍ପୋରେସନ୍‌ ଭଳି କାମ କରୁଛି । ଏହାଛଡ଼ା ପ୍ରଥମରେ ଏହି ବିକାଶ ପରିଷଦକୁ ୮୦ କୋଟି ଟଙ୍କା ପରେ ୧୦୦ କୋଟି ଟଙ୍କା ଓ ଏବେ ୨୦୦ କୋଟି ଟଙ୍କା ଅନୁଦାନ ଆକାରରେ ଦିଆଯାଉଛି । ଅନ୍ୟ ପକ୍ଷରେ କୋଶଳାଞ୍ଚଳରୁ ବାର୍ଷିକ ପ୍ରାୟ ୨୮ ହଜାର ଟଙ୍କା ରାଜସ୍ୱ ବିଭିନ୍ନ କ୍ରମରେ ରାଜ୍ୟ ସରକାରଙ୍କ ପାଖକୁ ଯାଉଛି । ରାଜ୍ୟ ସରକାରଙ୍କ ସମୁଦାୟ ଆୟର ୬୫ ଭାଗ ଅର୍ଥ ଏହି ଅଂଚଳରୁ ଯାଉଥିବା ବେଳେ ମାତ୍ର ୨୦୦ କୋଟି ଟଙ୍କାରେ ଏ ଅଂଚଳର ବିକାଶ ଓ ୨ କୋଟି ଲୋକଙ୍କ ଉନ୍ନତି କିଭଳି ଭାବରେ ସାଧିତ ହୋଇପାରିବ । ଏହାଛଡ଼ା ଦେଶର ଯେଉଁ ସବୁ ଜାଗାରେ ସମ୍ବିଧାନର ଧାରା ୩୭୧ ଅନୁଯାୟୀ ସ୍ୱତନ୍ତ ଉନ୍ନୟନ ପରିଷଦ ଗଠନ କରାଯାଇଛି ସେହି ସ୍ଥାନ ମାନଙ୍କରେ ମଧ୍ୟ ବିକାଶ ହୋଇପାରି ନାହିଁ । ଏଭଳି ସ୍ଥଳରେ ବିକାଶ ପରିଷଦ ବଦଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଂଚଳ ଓ କେ.ବି.କେ ଅଂଚଳକୁ ନେଇ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନ ହିଁ ଏକମାତ୍ର ବିକଳ୍ପ । ତେଣୁ ବି.ଜେ.ପି ଯଦି ପଶ୍ଚିମ ଓଡ଼ିଶା କିମ୍ବା କେ.ବି.କେ ଅଂଚଳର ଉନ୍ନତି ଚାହୁଁଛି ତାହେଲେ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ କୋଶଳ ରାଜ୍ୟ ଗଠନ କରିବା ପାଇଁ ଆଗଭର ହେଉ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ପୁରୋହିତ ଆହ୍ୱାନ ଦେଇଛନ୍ତି । ଏହାଛଡ଼ା ବି.ଜେ.ପିର ରାଜନୈତିକ ଏଜେଣ୍ଡାରେ କ୍ଷୁଦ୍ର ରାଜ୍ୟ ଦାବୀ ସ୍ଥାନୀତ ହୋଇଥିବାରୁ ତଥା ବି.ଜେ.ପି ସରକାର ଅମଳରେ ଝାରଖଣ୍ଡ, ଛତିଶଗଡ଼ ଓ ଉତ୍ତରାଞ୍ଚଳ ରାଜ୍ୟ ଗଠିତ ହୋଇଥିବାରୁ ବି.ଜେ.ପି ସ୍ୱତନ୍ତ କୋଶଳ ରାଜ୍ୟ ଦାବୀ କରିବା ସର୍ବାଦୌ ଯୁକ୍ତିଯୁକ୍ତ ହେବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି ମତବ୍ୟକ୍ତ କରିଛି ।

Leave A Reply

Your email address will not be published.