୫ଟି ବିକାଶ ନାମରେ ରାଜ୍ୟର ପୁରାତନ କୀର୍ତ୍ତିରାଜିକୁ ଭଙ୍ଗା ନଯାଉ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୫ଟିର ବିକାଶ ନାମରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି, ମନ୍ଦିରର ସୌନ୍ଦର୍ୟ୍ୟିକରଣ କରାଯାଉ କିନ୍ତୁ ପୁରାତନ କୀର୍ତ୍ତିରାଜିକୁ ଭଙ୍ଗା ନ ଯାଉ ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ଓଡିଶା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିରରେ ଏବେ ୫ଟି ଜରିଆରେ ବିକାଶର ଯେଉଁ ଯୋଜନା କରାଯାଇଛି ସେଥିରେ ମନ୍ଦିରର ପୁରାତନ କୀର୍ତ୍ତିରାଜି “ଭଣ୍ଡାର ଘର” କୁ ଭାଙ୍ଗିବା ପାଇଁ ସରକାର ଯେଉଁ ପ୍ରସ୍ତାବ ରଖିଛନ୍ତି ତାକୁ ବାତିଲ କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ରାଜ୍ୟ ସଚିବାଳୟରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ସାକ୍ଷାତ କରି ନୃସିଂହନାଥ ମନ୍ଦିର “ଭଣ୍ଡାର ଘର” ପୁରାତନ କୀର୍ତ୍ତିରାଜି ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହାକୁ ନ ଭାଙ୍ଗିବା ପାଇଁ ଏକ ପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ୫ଟି ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗଙ୍କୁ ମଧ୍ୟ ପ୍ରଦାନ କରିଥିବା ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି । ଶ୍ରୀ ପୁରୋହିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,୧୩ଶହ ଶତାବ୍ଦୀରେ ପାଟଣା ମହାରାଜ ବୈଜଲ ଦେବ ନୃସିଂହନାଥ ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିର ନିର୍ମାଣର କିଛି ବର୍ଷ ପରେ “ଭଣ୍ଡାର ଘର” ନିର୍ମିତ ହୋଇଥିଲା, ଏହା ଏକ ପୁରାତନ କୀର୍ତ୍ତିରାଜି । କୋଟି ଲୋକଙ୍କ ଏହା ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଭଗବାନ ଗୌତମ ବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନ ଗନ୍ଧମାର୍ଦ୍ଦନ ଶିଖରରେ ଏକ ବୌଦ୍ଧ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିବା ଐତିହାସିକ ମାନଙ୍କ ମତ, ଯେଉଁ ବିଶ୍ୱ ବିଦ୍ୟାଳୟରେ ଦେଶ ବିଦେଶରୁ ଅନେକ ଛାତ୍ର ଛାତ୍ରୀ ଅଧ୍ୟୟନ ପାଇଁ ଗନ୍ଧମାର୍ଦ୍ଦନ – ନୃସିଂହନାଥକୁ ଆସୁଥିଲେ । ସମ୍ବଲପୁର ବିଶ୍ବ ବିଦ୍ୟାଳୟ ଓ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ମନ୍ଦିର ଆଖପାଖରେ ଅନେକ ଥର ଖୋଦେଇ କରି ବୌଦ୍ଧ ସଂସ୍କୃତିର ଅନେକ ମୂର୍ତ୍ତି ଓ ସାମଗ୍ରୀ ମଧ୍ୟ ମିଲିଛି । ତେଣୁ ଅତି ସତର୍କତାର ସହ ନିର୍ମାଣ କାର୍ଯ୍ୟ ବେଳେ ଏହାକୁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.