- ପ୍ରତିରୋପଣ ପାଇଁ ୧୮ ଲକ୍ଷ ଆବଶ୍ୟକ, ସହାୟତା ପାଇଁ ପରିବାର ପକ୍ଷରୁ ନିବେଦନ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପାଠ ପଢିବା ବୟସରେ କିଡନୀ ଫେଲୋର ହୋଇ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛନ୍ତି ଜୈନେକ ଅଷ୍ଟମ ଶ୍ରେଣୀର ଛାତ୍ର । ସେ ହେଉଛନ୍ତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ଡି.ତ୍ରିନାଥ ପାତ୍ରଙ୍କ ପୁଅ ଡି.ସୁଶାନ୍ତ । ପାଠ ପଢି ଜଣେ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ଲକ୍ଷ ରଖିଥିବା ଛାତ୍ର ସୁଶାନ୍ତଙ୍କ ଜୀବନରେ ହଠାତ୍ କଳା ବାଦଳ ଘୋଟି ଆସିଥିଲା । ସୂଚନା ଅନୁସାରେ ଛାତ୍ରଙ୍କ ପେଟ ବ୍ୟଥା ଯୋଗୁଁ ପରିବାର ପକ୍ଷରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କାରାଯାଇଥିଲା । ଶାରୀରିକ ଅସୁସ୍ଥତା ବୃଦ୍ଧି ହେବାରେ ଲାଗିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଭୁବନେଶ୍ୱର ଏଆଇଏମ୍ଏସରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ଜଣା ପଡିଲା ଦୁଇଟି ଯାକ କିଡନୀ କାମ କରୁନି ଯାହାକୁ ନେଇ ଛତିଶଗଡ଼ ରାଜ୍ୟର ରାୟପୁରରେ ରହିଥିବା ଡିକେଏସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ କହିବା ଅନୁଯାୟୀ ଦୁଇଟି କିଡନୀ ପ୍ରତିରୋପଣ କରାଗଲେ ୧୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆବଶ୍ୟକ । ଏହା ଶୁଣି ଛାତ୍ରଙ୍କ ବାପା ଡି.ତ୍ରିନାଥ ପାତ୍ର ଓ ମା ସାବିତ୍ରୀଙ୍କ ସତେ ଯେପରି ପାଦ ତଳୁ ମାଟି ଖସି ଯାଇଛି । ଦୁଇ ଝିଅଙ୍କ ମଧ୍ୟରେ ଏକ ମାତ୍ର ପୁଅ ସୁଶାନ୍ତଙ୍କୁ ଏତେ ଟଙ୍କା ଖର୍ଚ୍ଚ କରି ବଞ୍ଚାଇବା ତାଙ୍କ ପକ୍ଷେ ସମ୍ଭବ ନାହିଁ । ମୂଲ ମଜୁରୀ କରି ପରିବାର ଚଳାଇ ଦୁଇ ଝିଅ ଓ ଗୋଟିଏ ପୁଅକୁ ମଣିଷ କରି ଗଢି ତୋଳିବାକୁ ଲକ୍ଷ ରଖିଥିବା ଦୁଇ ପ୍ରାଣୀ ସତେ ଯେମିତି ଆବାକ ହୋଇ ପଡିଛନ୍ତି । କିଛି ଦିନ ମଧ୍ୟରେ ଋଣ ବାଡ଼ି କରି ପୁଅକୁ ରାୟପୁରରେ ଚିକିତ୍ସା କରାଉଛନ୍ତି । ଏହି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଛାତ୍ରଙ୍କ ଚିକିତ୍ସା ନିମନ୍ତେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ତାଙ୍କ ପୁଅର ଚିକିତ୍ସା କରି ଜୀବନ ବଞ୍ଚାଇବାକୁ ସେ ଗଣ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସହୃଦୟ ବ୍ୟକ୍ତିମାନଙ୍କୁ ନିବେଦନ କରିଛନ୍ତି । ତାଙ୍କର ଆକାଉଣ୍ଟ ନମ୍ବର ୨୦୪୦୫୭୩୧୯୯୭ । ସି ଏସ ସି ନମ୍ବର-ଏସବିଆଇଏନ୦୦୦୩୮୧୬ । ଫୋନ ପେ ନମ୍ବର-୯୯୩୭୯୮୦୩୦୪ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି ।