jayashree

ଖାଉଟି ଅଦାଲତ ବଲାଙ୍ଗିରରେ ଜ୍ୟୋସ୍ନା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ୮୧ ହଜାର କ୍ଷତିପୂରଣ ଦେବେ ତହସିଲଦାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗର ପ୍ୟାନାଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଖାଉଟିଙ୍କ ପ୍ରତି ଅଣଦେଖା ଓ ତାଙ୍କ ବିଶୃଙ୍ଖଳିତ ନୀତିର ଖିଲାପରେ ଯଥା ବଲାଙ୍ଗିର ସ୍ଥିତ ଶାନ୍ତିପଡ଼ା ନିବାସୀ କୃଷ୍ଣଚନ୍ଦ୍ର ନାୟକଙ୍କ ସପକ୍ଷରେ ଜିଲ୍ଲା ଖାଉଟି ଆୟୋଗରେ ବିଚାର କରି ୮୧ ହଜାର ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ କୃଷ୍ଣଚନ୍ଦ୍ର ନାୟକ ଗତ ମାର୍ଚ୍ଚ ୨୮ ତାରିଖ ଦିନ ବିନିକା ତହସିଲଦାରଙ୍କ କାର୍ଯ୍ୟାଳୟରେ ଜରୁରୀ ଆଧାରରେ ଏକ ସାର୍ଟିଫାଏ କପି ପ୍ରଦାନ ପାଇଁ ଆବେଦନ କରିଥିଲେ । ସେ ଉକ୍ତ ଆବେଦନରେ ଏଗାର ଟଙ୍କା କୋର୍ଟ ଫି ଓ ୟୁଜର ଫି ଲଗାଇ ସିଧାସଳଖ ବିନିକା ତହସିଲଦାରଙ୍କ ଠାରେ ଆବେଦନ କରିଥିଲେ । ତହସିଲଦାର ଶ୍ରୀ ପାଣିଗ୍ରାହୀ ଉକ୍ତ ଆବେଦନ ଫର୍ମକୁ ରେକଡ଼ ରକ୍ଷକ ଲକ୍ଷ୍ମୀ ନାରାୟଣ ଦାନୀଙ୍କ ନିକଟକୁ ପଠାଇଥିଲେ । ତେବେ ରେକଡ଼ ରକ୍ଷକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାର୍ଟିଫାଏ କପି ପ୍ରଦାନ କରିବାରେ ସମର୍ଥ ହୋଇପାରି ନଥିଲେ, ପୁନଶ୍ଚ ଆବେଦନକାରୀ ଗତ ଏପ୍ରିଲ ୨୫ ତାରିଖରେ ଏକ ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଅନୁସ୍ମାରକ ପତ୍ର ପଠାଇଥିଲେ ମଧ୍ୟ ବିନିକା ତହସିଲଦାର ତାର କୌଣସି ଉତ୍ତର ରଖିନଥିଲେ । ପରେ ଆବେଦନକାରୀ ଗୋଟିଏ ମାସରେ ଚାରିଥର ସାର୍ଟିଫାଏ କପି ପାଇଁ ଆବେଦନ ଓ ଅନୁରୋଧ କରିବା ସତ୍ୱେ ମଧ୍ୟ ତାଙ୍କୁ ରେକର୍ଡ ଖୋଜୁଛୁ କହି ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ । ଏଭଳି ବିନିକା ତହସିଲଦାର ଓ କର୍ମଚାରୀଙ୍କ ଅବହେଳାରେ ଅସନ୍ତୁଷ୍ଟି ପ୍ରକାଶ କରି କୃଷ୍ଣଚନ୍ଦ୍ର ନାୟକ ବାଧ୍ୟ ହୋଇ ବଲାଙ୍ଗିର ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗରେ ଗତ ଚଉଦ ତାରିଖ ଜୁଲାଇ ମାସରେ ଅଭିଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲା ଖାଉଟି ଆୟୋଗର ପ୍ୟାନେଲ ସଦସ୍ୟା ଜ୍ୟୋସ୍ନା ମିଶ୍ର ଉକ୍ତ ଅଭିଯୋଗ କ୍ରମେ ଏହି ମାମଲାର ସତ୍ୟାସତ୍ୟ ବିଚାର କରି ଏବଂ ଅଭିଯୋଗକାରୀଙ୍କ ଅପୂରଣୀୟ କ୍ଷତି ହୋଇଥିବା ସେ ଅନୁଭବ କରି କ୍ଷତି ବାବଦକୁ ୫୦ ହଜାର ଟଙ୍କା, ଶାରିରୀକ ଓ ମାନସିକ କ୍ଷତି ବାବଦକୁ ୩୦ ହଜାର ଓ ମକଦମା ଏକ ହଜାର ଟଙ୍କା, ଏହିପରି ସର୍ବ ମୋଟ ୮୧ ହଜାର ଟଙ୍କା ତହସିଲଦାର ଶ୍ରୀ ପାଣିଗ୍ରାହୀ ଆବେଦନକାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.