
ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ ଅଧିକ୍ଷକଙ୍କ ଚାମ୍ବରରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଡ଼ିନ ଡା. ଅବନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସେହିପରି ବିଭିନ୍ନ ବିଭାଗୀୟ ମୁଖ୍ୟ, ହାଉସସର୍ଜନ ସଂଘର କର୍ମକର୍ତ୍ତା ଓ ନର୍ସିଂ ସଂଘର କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଥିଲେ । ଅଗଷ୍ଟ ୨୬ରେ ସୁପରସ୍ପେସାଲିଷ୍ଟ କୋଠାରେ ଥିବା ଓଟି କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ସେବେଠାରୁ ଉକ୍ତ ଓଟି ବନ୍ଦକରି ଦିଆଯାଇଥିଲା । ବୁଧବାରଠାରୁ ଉକ୍ତ ଓଟି କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ସେହିପରି ସେପ୍ଟେମ୍ବର ୨୯ରେ ରୋଗୀଙ୍କ ରକ୍ତ ସଂଗ୍ରହକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ଏହି ବୈଠକରେ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଅଧିକାରୀଙ୍କ ପାଇଁ ନିର୍ଦ୍ଧାରିତ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଡ୍ୟୁଟି ମ୍ୟାନେଜମେଣ୍ଟକୁ ନେଇ ରହିଥିବା ଦ୍ୱନ୍ଦର ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯାଇଥିଲା । ବିଶେଷକରି ଭେଷଜ ବିଭାଗରେ ପ୍ରତିଦିନ ପ୍ରାୟ ୧୫୦ ରୋଗୀ ଆସିଥାନ୍ତି । ସେମାନଙ୍କ ରକ୍ତ ନମୁନା ସଂଗ୍ରହ କିପରି ସହଜ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଆବଶ୍ୟକ ପଡ଼ିଲେ ଉକ୍ତ ବିଭାଗରେ ଅଧିକ ନର୍ସିଂ ଅଫିସର କିମ୍ବା ଲେବୋରେଟୋରି ଟେକ୍ନିସିଆନ ଯୋଗାଇ ଦିଆଯିବ ବୋଲି ସ୍ଥିର କରାଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଡ଼ିନ୍ ଡା.ମିଶ୍ରଙ୍କ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏମ୍କେସିଜ ମେଡିକାଲ ପରିସରରେ ଲାଗି ରହିଥିବା ଗାଡ଼ି ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ହୋଇଥିଲା । ରୋଗୀ ସମ୍ପର୍କୀୟଙ୍କ ବାଇକ୍ ଓ ଅନ୍ୟାନ୍ୟ ଗାଡ଼ି ପାର୍କିଂ ପାଇଁ ଏକ ଘରୋଇ ସଂସ୍ଥାକୁ ଟେଣ୍ଡର ଦେବାକୁ ନିଷ୍ପତ୍ତି ହୋଇଥିଲା । ମେଡିକାଲର ବିଭିନ୍ନ ବିଭାଗ ସମ୍ମୁଖରେ ପାର୍କିଂ କରାଯାଉଥିବା ଗାଡ଼ିଗୁଡିକ ସେଠାରେ ପାର୍କିଂ ନ କରି ସୁପରସ୍ପେସାଲିଟି କୋଠା ସମ୍ମୁଖ ଭାଗରେ ଥିବା ଏକ ଖୋଲା ସ୍ଥାନରେ ଗାଡି ପାର୍କିଂ କରାଯିବା ପାଇଁ ସ୍ଥିର ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏମ୍କେସିଜି ଉପ ଅଧୀକ୍ଷକ ଡା. କିରନ ପଟ୍ଟନାୟକ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।