
ନରସିଂହପୁର : ହାତୀ ଆକ୍ରମଣରୁ ନିଜରୁ ରକ୍ଷା କରିବା ପାଇଁ ଦୌଡ଼ି ପଳାଉଥିବା ବେଳେ ଖସିଗଲା ଗୋଡ଼ । ତଳେ ପଡ଼ି ଯିବାରୁ ବାମ ହାତରେ ପଶିଗଲା ବାଉଁଶ ଖୁଣ୍ଟା । ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସାଗର ଗାଁର ରବୀନ୍ଦ୍ର କୁମାର ସାହୁ (୫୨) ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସାଗର ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଯୋଗ୍ୟ ଯେ, ରବୀନ୍ଦ୍ର କୁମାର ସାହୁ ବୁଧବାର ଦିନ ସାଗର ଆମ୍ବ ବଗିଚା ସଫା କରିବା ପାଇଁ ଯାଇଥିଲେ । ପୂର୍ବରୁ ସେହି ଆମ୍ୱ ବଗିଚାରେ ଏକ ଛୁଆ ହାତୀ ତା ମାଆ ସହ ଥିଲା । ରବିନ୍ଦ୍ରଙ୍କୁ ଆମ୍ବ ବଗିଚାରେ ଦେଖି ମାଆ ହାତୀ ଗୋଡ଼ାଇଥିଲା । ଜୀବନ ବଞ୍ଚାଇବାକୁ ରବୀନ୍ଦ୍ର ଦୌଡ଼ି ପଳାଇ ଆସୁଥିବା ବେଳେ ଖସି ପଡ଼ିଥିଲେ । ଫଳରେ ତାଙ୍କ ବାମ ହାତରେ ଏକ ବାଉଁଶ ଖୁଣ୍ଟା ପଶି ଯିବାରୁ ଶିର କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ମେଡିକାଲକୁ ଅଣାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।