ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରାସନ୍ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରାସନ୍ କାର୍ଡ ଥିବା ସତ୍ୱେ ରାସନ୍ ମିଳୁ ନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଗରିବ ଆଦିବାସୀ ଶୁକୃ ବରିହାଙ୍କ ସହ ତାଙ୍କ ସ୍ତ୍ରୀ ପ୍ରେମ ବରିହା, ଝିଅ ବୈଦେହୀ ବରିହା, ପୁଅ ସହଦେବ ବରିହା , ଝିଅବିମଳା ବରିହା, ପୁଅ ବସୁଦେବ ବରିହା, ବଡ଼ ବୋହୂ ସୁକାନ୍ତି ବରିହା ଆଠଜଣ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର । ସୂଚନାଯୋଗ୍ୟ ଯେ, ଶୁକୃ ବରିହାଙ୍କ ସ୍ତ୍ରୀ ପ୍ରେମ ବରିହାଙ୍କ ନାଁରେ ରାସନ କାର୍ଡ ରହିଛି ହେଲେ କାର୍ଡ ପାଇଲା ଦିନ ୨୦୨୧ ମସିହାରୁ ଆଉ ରାସନ୍ ସାମଗ୍ରୀ ମିଳିନାହିଁ ବୋଲି ପ୍ରେମ ବରିହା କହିଛନ୍ତି । ସରକାର କୋଭିଡ ସମୟରେ ୨୦୨୧ରେ ମାଗଣା ରାସନ୍ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ନଭେମ୍ବର ୫ ମାସର ମଧ୍ୟ କାର୍ଡ ଇସୁ କରାଯାଇଛି ହେଲେ ଚାଉଳ ମିଳିନାହିଁ ବୋଲି ପ୍ରେମ ବରିହା କହିଛନ୍ତି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମୟରେ ମଧ୍ୟ ସରକାର ଯୋଗାଇ ଦେଉଥିବା ମାଗଣା ରାସନ୍ ସାମଗ୍ରୀ ଚାଉଳ ଗହମରୁ ମଧ୍ୟ ବଞ୍ଚିତ ହେଉଥିଲେ । ସେତେବେଳର ପରିସ୍ଥିତିରେ ଯେତେ ଦାଉ ସାଧିଥିବା ବେଳେ ପରିବାର ଚଳାଇବାରେ ମୁସ୍କିଲ ଥାଇ ମଧ୍ୟ ଯେତେ ବାଧୁ ନଥିଲା ହେଲେ ନିଜ ନାଁରେ ରାସନ୍ କାର୍ଡ ଥାଇ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚାଉଳ ଗଣ୍ଡେ ନ ମିଳିବା ଫଳରେ ଆଠପ୍ରାଣୀ କୁଟୁମ୍ବ ପରିବାର ପୋଷଣ କରିବା ଭାରି ଯନ୍ତ୍ରଣା ବୋଲି ପ୍ରେମ ବରିହା କହିଛନ୍ତି । ଅନ୍ୟ ଲୋକର ମୂଳଲାଗି ପରିବାର ପ୍ରତିପୋଷଣ କରୁଛନ୍ତି ପ୍ରେମ ବରିହାଙ୍କ ସ୍ଵାମୀ ଶୁକୃ । ରାସନ୍ କାର୍ଡ ଥାଇ ମଧ୍ୟ ରାସନ୍ ସାମଗ୍ରୀ ମିଳିବା ଆଶାରେ ବାରମ୍ବାର ଅନ୍ ଲାଇନ୍ କରିବା ଏବଂ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଗରିବ ପ୍ରେମ ବରିହାଙ୍କ ପରିବାରଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।