୨୦୨୫ ମହାକୁମ୍ଭରେ ଖଦି ଓ ଗ୍ରାମୋଦ୍ୟୋଗ କମିଶନଙ୍କ ଦ୍ୱାରା
ଜାତୀୟସ୍ତରୀୟ ଖଦି ମେଳା ଉଦ୍‌ଘାଟିତ

  • ଖଦି ପ୍ରଦର୍ଶନୀରେ ପଡିଛି ୧୫୨ଟି ଷ୍ଟଲ, ୯୮ଟି ଷ୍ଟଲରେ କେବଳ ଖଦି ସାମଗ୍ରୀ ଓ ୫୪ଟିରେ ଗ୍ରାମୋଦ୍ୟୋଗର ଉତ୍ପାଦ ସ୍ଥାନିତ

ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜ କୁମ୍ଭନଗରୀ ମହାତ୍ମାଗାନ୍ଧୀ ମାର୍ଗ ସେକ୍ଟର-୧ରେ ଶୁକ୍ରବାର ଦିନ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ଅଧ୍ୟକ୍ଷ ମନୋଜ କୁମାରଙ୍କ ଦ୍ୱାରା ଜାତୀୟସ୍ତରୀୟ ଖଦି ମେଳା ଉଦ୍‌ଘାଟିତ ହୋଇଛି ଏହି ଅବସରରେ ଅନ୍ୟମାନଙ୍କ ଭିତରେ ଉତର ପ୍ରୟାଗରାଜ ବିଧାୟକ ହର୍ଷ ବର୍ଦ୍ଧନ ବାଜପେୟୀ ଓ ମେୟର ଗଣେଶ କେଶରବାନି ଉପସ୍ଥିତ ଥିଲେ । ଫେବୃୟାରୀ ୨୬ ପର୍ଯ୍ୟନ୍ତ ଏହି ମେଳା ଚାଲୁ ରହିବ ବୋଲି ସୂଚନା ମିଳିଛି । ପଡିଥିବା ୧୫୨ଟି ଷ୍ଟଲ ଭିତରୁ ୯୮ଟି ଷ୍ଟଲରେ ଖଦି ସାମଗ୍ରୀ ଓ ୫୪ଟି ଷ୍ଟଲରେ ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରଦର୍ଶିତ ହେଉଛି । ଉଦ୍‌ଘାଟନୀ ଅଭିଭାଷଣ ଦେଇ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର କହିଥିଲେ ଯେ, ମହାକୁମ୍ଭ କେବଳ ବିଶ୍ୱାସର ପ୍ରତୀକ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତି, ପରମ୍ପରା ଓ ଆତ୍ମ ନିର୍ଭରଶୀଳତାର ଦ୍ୟୋତକ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆତ୍ମ ନିର୍ଭରତା ଓ ସ୍ୱଦେଶୀର ପ୍ରତୀକ ଖଦି ପ୍ରତିଭାତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା ଖଦି କ୍ରାନ୍ତିରେ ପରିଣତ ହୋଇ ଆତ୍ମ ନିର୍ଭର ଭାରତର ପ୍ରତୀକ ଭାବେ ପରିଗଣିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖଦି ଫର ନେସନ, ଖଦି ଫର ଫେସନ, ଖଦି ଫର ଟ୍ରାନ୍ସଫର୍ମେସନ ମିଶନ ଜରିଆରେ ଖଦି ଓ ଗ୍ରାମୋଦ୍ୟୋଗ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇପାରିଛି । କାଶ୍ମୀରରୁ ତାମିଲନାଡୁ ଓ ମହାରାଷ୍ଟ୍ରରୁ ନାଗାଲାଣ୍ଡ ପର୍ଯ୍ୟନ୍ତ କୋଡିଏଟି ବିଭିନ୍ନ ରାଜ୍ୟର ସାମଗ୍ରୀ ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛି । ଖଦି ପ୍ରଦର୍ଶନୀକୁ ବୁଲି ଆସି ଉଭୟ ଶ୍ରଦ୍ଧାଳୁ ଓ ପରିଦର୍ଶକ ଭୋକାଲ ଫର ଲୋକାଲ ମିଶନକୁ ପ୍ରୋତ୍ସାହିତ କରିବା ଦରକାର ବୋଲି ଅଧ୍ୟକ୍ଷ ଆହ୍ୱାନ ଦେଇଥିଲେ । ଗତ ଦଶ ବର୍ଷ ଭିତରେ ଖଦି ଓ ଗ୍ରାମୋଦ୍ୟୋଗର ବିକାଶ ସମ୍ପର୍କରେ ମନୋଜ କୁମାର ଆଲୋକପାତ କରିଥିଲେ ।
ଉତ୍ପାଦରେ ବିକାଶ : ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ୨୬ ହଜାର କୋଟିରୁ ଏକ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି
ବିକ୍ରି ପରିମାଣ : ୩୧ ହଜାର କୋଟିରୁ ୧.୫୫ ଲକ୍ଷ କୋଟି ଟଙ୍କାକୁ ଉତ୍ପାଦ ବିକ୍ରି
ନିଯୁକ୍ତି ସୁଯୋଗ : ନିଯୁକ୍ତି କ୍ଷେତ୍ରରେ ୪୩.୬୫ ପ୍ରତିଶତ ବୃଦ୍ଧି ପାଇ ୧.୮୭ କୋଟି ଲୋକଙ୍କୁ ମିଳିଛି ଫାଇଦା ଗତ ଆର୍ଥିକ ବର୍ଷରେ ୧୦.୧୭ ଲକ୍ଷ ନୂଆ ଚାକିରି ସୃଷ୍ଟି
କୁଶଳୀ କାରିଗରଙ୍କ ରୋଜଗାର : ଖଦି କାରିଗରଙ୍କ ରୋଜଗାର ୨୧୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି ବଣ୍ଡଲ ପିଛା ୪ ଟଙ୍କାରୁ ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି
ଉତ୍ତର ପ୍ରଦେଶର ୪୫୦ଟି ଖଦି ଶିଳ୍ପୋଦ୍ୟୋଗରେ ୧.୪ ଲକ୍ଷ କୁଶଳୀ କାରିଗର ନିଯୁକ୍ତି ପାଇଥିବା ଏହି ଅବସରରେ କେଭିଆଇସି ଅଧ୍ୟକ୍ଷ ସୂଚନା ଦେଇଥିଲେ । ଚଳିତ ଆର୍ଥିକ ବର୍ଷରେ ୟୁପିରେ ଏମ୍‌ଏମ୍‌ଡିଏ ଯୋଜନାରେ ୧୫ କୋଟି ଓ ଆଇଏସ୍‌ଇସି ଯୋଜନାରେ ୪ କୋଟି ଟଙ୍କା ବିତରଣ କରାଯାଇଛି । ଗ୍ରାମୋଦ୍ୟୋଗ ବିକାଶ ଯୋଜନାରେ ଗତବର୍ଷ ୧,୫୫୦ ହିତାଧିକାରୀଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ପ୍ରଦାନ କରାଯାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧, ୮୫୦କୁ ବୃଦ୍ଧି ପାଇବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଅଧୀନରେ ଡିସେମ୍ବର ସୁଦ୍ଧା ୟୁପିରେ ୧୩୭ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଫଳରେ ୩୮, ୫୮୮ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି । ଭାରତର ଗ୍ରାମୀଣ ଅର୍ଥନୀତିକୁ ମଜଭୂତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଖଦି ବିପ୍ଲବର ପ୍ରମୁଖ ଭୂମିକା ରହିଥିବା ମନୋଜ କୁମାର କହିଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ମହାକୁମ୍ଭ ପ୍ରୟାଗରାଜକୁ ଏକ ପ୍ରମୁଖ ତୀର୍ଥସ୍ଥାନରେ ପରିଣତ କରିବ ବୋଲି ମନୋଜ କୁମାର କହିଥିଲେ । ଖଦି ପ୍ରଦର୍ଶନୀକୁ ଭାରତୀୟ ସଂସ୍କୃତି ଓ ଆତ୍ମନିର୍ଭରଶୀଳତାର ପ୍ରକୃଷ୍ଟ ଉଦାହରଣ ବୋଲି ଅଭିହିତ କରି ପ୍ରଦର୍ଶନୀରେ ସ୍ଥାନିତ ହୋଇଥିବା ଖଦି ସାମଗ୍ରୀ କିଣି ଆତ୍ମନିର୍ଭର ଭାରତ ଯାତ୍ରାରେ ନିଜକୁ ସାମିଲ କରିବା ପାଇଁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେ ଆହ୍ୱାନ ଦେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ଖଦି ପ୍ରତିଷ୍ଠାନର ପ୍ରତିନିଧି, ପିଏମ୍‌ଇଜିପି ହିତାଧିକାରୀ, ୟୁପି ସରକାରଙ୍କ ଖଦି କର୍ମଚାରୀ ଓ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.