oom

ଭୂଗୋଳରେ ନିଜର ସ୍ଥିତି ଖୋଜୁଥିବା କେତୋଟି ଗାଁ

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୀବିକା ଖୋଜି ଜୀବନ ବଞ୍ଚାଇବା ପାଇଁ ଅନେକ ଆଦିବାସୀ ପରିବାର ଇତସ୍ତତଃ ହୋଇ ବିଭିନ୍ନ ଜଙ୍ଗଲ ମଧ୍ୟରେ ନିଜର ବାସସ୍ଥାନ ବାଛି ବର୍ଷ ବର୍ଷ ଧରି ରହିବା ପରେ ମଧ୍ୟ ସେମାନଙ୍କର ଖୋଜ ଖବର ତ ଦୂରର କଥା ବହୁ ବର୍ଷ ପର୍ଯ୍ୟନ୍ତ ସେମାନେ ଲୋକ ଲୋଚନର ଅନ୍ତରାଳେ ଆତ୍ମଗୋପନ ଭଳି ରହିଗଲେ । ସ୍ଵାଧୀନତା ବହୁ ପୂର୍ବରୁ ଏମାନଙ୍କ ବସତି ଅପହଞ୍ଚ ଇଲାକାରେ ରହିଥିଲେ ମଧ୍ୟ ସ୍ଵାଧୀନତା ପ୍ରାପ୍ତିର ୭୬ବର୍ଷରେ ମଧ୍ୟ ଏମାନଙ୍କ ବିକାଶ ପୂର୍ବବତ ରହିଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ୍‌ସୁଲି ପଞ୍ଚାୟତର ନଳାଚୁଆ, ଭାଟିପାସ, ବାଙ୍ଗଟି ସହାଜ୍, ଭିତରପଣ୍ଡି, ଚଞ୍ଚରାଗୁଡା, ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତର ଉପର ଆଟି ଗାଁ, ଅଁଳାଭାଟା ପଞ୍ଚାୟତର କରାଘାଟି, ଦାବ୍ରିଘାଟି, ତେଣ୍ଡକାଚୁଆ, ପଟାକୁସୁମୀ, କର୍ଲାକୋଟ ଆଦି ଗାଁ ସମୂହ ଏବେ ମଧ୍ୟ ବିକାଶରୁ ବହୁ ଦୂରେ । ଜୟପାଟଣା ବ୍ଲକର ପୂର୍ବ, ପଶ୍ଚିମ ଓ ଦକ୍ଷିଣ ସୀମାନ୍ତରେ ନବରଙ୍ଗପୁର ଜିଲ୍ଲା ସୀମା ସାଙ୍ଗରେ ସଂଯୋଗ ଥାଇ ମଧ୍ୟ ବ୍ଲକ କିମ୍ବା ପଞ୍ଚାୟତ ମହକୁମା ସାଙ୍ଗରେ ଏମାନଙ୍କ ନିତିଦିନିଆ ସଂଯୋଗ ବ୍ୟବସ୍ଥା ହୋଇପାରି ନାହିଁ । ଏକ ସାଙ୍କେତିକ ଜୀବନ ବଞ୍ଚିବାର ପ୍ରୟାସ କରୁଥିବା ଏହି ଅଧିବାସୀମାନଙ୍କ ପାଇଁ ମୌଳିକ ସୁବିଧା ମଧ୍ୟ ଆଜି ପର୍ଯ୍ୟନ୍ତ ଉପଲବ୍ଧ ହୋଇ ପାରିନାହିଁ । ସଭ୍ୟ ସମାଜ ସାଙ୍ଗରେ ସମ୍ପର୍କ ରଖିବା ପାଇଁ ପ୍ରୟାସ ଜାରି ରହିଥିଲେ ମଧ୍ୟ ନିଜର ହୀନ ମାନ୍ୟତା ତାହା ମଧ୍ୟ କରିବାକୁ ଦିଏ ନାହିଁ । ଜୀବନ ବଞ୍ଚିବାର କଷ୍ଟ ମଧ୍ୟରେ ପାନୀୟ ଜଳ ସବୁବେଳେ ବାଧକ ସୃଷ୍ଟି କରି ଆସିଛି । ଝରଣା ପାଣି ଓ ବାଲି ଚୁଆକୁ ସର୍ବସ୍ୱ ମଣୁଥିବା ଏହି ମଣିଷମାନେ ଅଧିକ ଚିନ୍ତା ମଧ୍ୟ କରନ୍ତି ନାହିଁ । ସ୍ଵାସ୍ଥ୍ୟ ସୁବିଧା ଆଜି ବି ଏମାନଙ୍କ ପାଇଁ ଅଲୋଡ଼ା ହୋଇ ରହିଯାଇଛି । କିଛି ଦିନ ତଳେ ନଳାଚୁଆ ଗ୍ରାମର ଦୁଇ ପ୍ରସୂତି ଖଟିଆରେ ବୁହା ହୋଇ ପାଞ୍ଚ କିଲୋମିଟର ଘାଟି ରାସ୍ତାରେ ଓହ୍ଲାଇ ବାଟରେ ପ୍ରସବ କରିଥିବା ଭଳି ବେଦନା ଦାୟକ ଘଟଣାକୁ ଆଜି ମଧ୍ୟ ଲୋକେ ଭୁଲି ପାରି ନାହାଁନ୍ତି । ସମଗ୍ର ଦେଶ ଅମୃତ ମହୋତ୍ସବ ପ୍ରାପ୍ତ କରି ସାରିଥିବା ବେଳେ ଏମାନଙ୍କ ଦୁର୍ଦ୍ଦଶା କେବେ ଲାଘବ ହେବ ତାହା ଏବେ ଦେଖିବାର ବେଳ ଆସିଛି ।

jittmm
Leave A Reply

Your email address will not be published.