ରାଜ୍ୟରେ ଚାଲିଛି ଖୋଲାଖୋଲି ଗୋ ଚୋରା ଚାଲାଣ : କାହା ସ୍ୱାର୍ଥରେ କାମ କରୁଛି ପୋଲିସ ପ୍ରଶାସନ : କେଶରୀୟା ହିନ୍ଦୁ ବାହିନୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଖୋଲାଖୋଲି ଭାବେ ଗୋରୁ ଚୋରା ଚାଲାଣ ଚାଲିଛି । ଗୋରୁଙ୍କୁ କଂସେଇ କବଳରୁ ବଞ୍ଚାଉଥିବା ଗୋରୁ ପ୍ରେମୀମାନଙ୍କ ଉପରେ ବାରମ୍ବାର ଅତର୍କିତ ଆକ୍ରମଣ ହେଉଥିବା ବେଳେ ପୋଲିସ ପ୍ରଶାସନ ଓଲଟା ଗୋପ୍ରମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତେବେ ପୋଲିସ ପ୍ରଶାସନ କାହା ସ୍ୱାର୍ଥରେ କାମ କରୁଛି ବୋଲି ଆଜି କେଶରୀୟା ହିନ୍ଦୁ ବାହିନୀ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି । ରାଜ୍ୟରୁ ଗୋରୁ ଚୋରା ଚାଲାଣ ହୋଇ ପଶ୍ଚିମ ବଙ୍ଗ ଦେଇ ବାଙ୍ଗଲା ଦେଶକୁ ଗୋ ଚାଲାଣ ହେଉଛି । କେଶରୀୟା ହିନ୍ଦୁ ବାହିନୀ ତରଫରୁ ବାରମ୍ବାର ଏହାକୁ ବିରୋଧ କରାଯାଇଛି । କିନ୍ତୁ ଗୋ ଚାଲାଣକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବା ପରିବର୍ତ୍ତେ ଓଲଟା ହିନ୍ଦୁ ବାହିନୀର କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଗତ ମାସ ୪ ତାରିଖରେ ମୁରିବାହାଲ ନିକଟରେ ଗୋଚାଲାଣ ହେଉଥିବା ଖବର ପାଇ କେଶରୀୟା ହିନ୍ଦୁ ବାହିନୀର କର୍ମୀମାନେ ପୋଲିସକୁ ଖବର ଦେବା ସହ ଗୋଚାଲାଣକାରୀଙ୍କୁ ଗୋରୁ ସମେତ ଧରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ପ୍ରାୟ ୪୦ଜଣ ହିନ୍ଦୁ ବାହିନୀର କର୍ମିମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପୋଲିସକୁ ସମସ୍ତ ତଥ୍ୟ ଦେବା ପରେ ମଧ୍ୟ ପୋଲିସ ଓଲଟା ବାହିନୀ କର୍ମକର୍ତ୍ତାମାନଙ୍କ ଉପରେ ମାମଲା ରୁଜୁ କରିଥିବା ବେଳେ ଗୋଚାଲାଣକାରୀ ଓ ତାଙ୍କର ସହେଯାଗୀ ଖୋଲା ବୁଲୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହିନ୍ଦୁ ବାହିନୀର କର୍ମୀମାନେ ପ୍ରଶାସନକୁ ଗୋପ୍ରମୀଙ୍କ ଉପରେ ଆକ୍ରମଣର ତଦନ୍ତ କରିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । କିନ୍ତୁ ବାରମ୍ବାର ପ୍ରୟାସ ପରେ ମଧ୍ୟ ଏହି ଘଟଣାରେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସେହିପରି ମୟୁରଭଞ୍ଜ ଜିଲ୍ଲାର ଉଦଳା ଠାରେ ପ୍ରାୟ ୫୦୦ ଗାଇ ଚୋରା ଚାଲାଣର ଖବର ପାଇ ହିନ୍ଦୁ ବାହିନୀର କର୍ମୀମାନେ ପୋଲିସକୁ ଖବର ଦେବା ସହ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ସେଠାରେ ମଧ୍ୟ ଗୋଚାଲାଣକାରୀମାନେ ପୋଲିସର ଉପସ୍ଥିତିରେ ବାହିନୀ କର୍ମୀଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଜାନ ବାହାନ ଭଙ୍ଗାରୁଜା କରିଥିଲେ । ଉକ୍ତ ଘଟଣାରେ ପୋଲିସ ଉପରେ ବାରମ୍ବାର ଚାପ ପ୍ରୟୋଗ କରିବା ପରେ ପୋଲିସ ଚାରି ପାଞ୍ଚ ଜଣଙ୍କୁ ଗିରଫ କରିଥିଲା ହେଁ ଘଟଣାରେ ଚାଲାଣ କରାଯାଉଥିବା ୫୦୦ ଗୋରୁଙ୍କ ଖବର ଦେଇ ପାରୁନାହିଁ । ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟକଳାପ ସାଧାରଣରେ ସନ୍ଦେହ ଜାତ କରିବା ସ୍ୱାଭାବିକ । ବେଆଇନ ଗୋଚାଲାଣ କରୁଥିବା ଲୋକମାନେ ଖୋଲା ବୁଲୁଥିବା ବେଳେ ଓଲଟା ଗୋସେବାରେ ମାଡ ଖାଇଥିବା ଗୋପ୍ରେମୀଙ୍କ ଉପରେ ପୋଲିସ ପ୍ରଶାସନର ଆକ୍ରୋଶର କାରଣ ବୁଝା ପଡୁନାହିଁ । ଏଭଳି ସ୍ଥିତିରେ ପୋଲିସ ପ୍ରଶାସନ କାହା ସ୍ୱାର୍ଥରେ କାମ କରୁଛି । ବେଆଇନ ଗୋଚାଲାଣକାରୀ ନା ଗୋମାତା ଓ ଗୋପ୍ରମୀଙ୍କ ପାଇଁ ବୋଲି ରାଜ୍ୟ ସଭାପତି ସନ୍ତୋଷ ଭୋଳ ଖୋଲା ପ୍ରଶ୍ନ କରିଛନ୍ତି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ତଥା ପୋଲିସ ପ୍ରଶାସନ ଗୋଚାଲାଣକାରୀ ମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ନଦେଲେ କେଶରୀୟା ହିନ୍ଦୁ ବାହିନୀ ଆଇନ ହାତକୁ ନେବାକୁ ମଧ୍ୟ ପଛାଇବ ନାହିଁ ବୋଲି ବଲାଙ୍ଗିର ଗସ୍ତରେ ଆସିଥିବା କେଶରୀୟା ହିନ୍ଦୁ ବାହିନୀର ସଂସ୍ଥାପକ ଅତୁଲ ମିଶ୍ରା ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କେଶରୀୟା ବାହିନୀ ପକ୍ଷରୁ ନିତୁ ଗୁପ୍ତା, ବ୍ରହ୍ମା ପ୍ରସାଦ ମହାପାତ୍ର, ପ୍ରଦୀପ ତ୍ରିପାଠୀ, ସଂକର୍ଷଣ ଆଚାର୍ଯ୍ୟ, ସୁନୀତା ଶର୍ମା, ସୁବ୍ରତ କୁଅଁର, ଆଲୋକନାଥ ପଣ୍ଡା, ବ୍ୟାସଦେବ ମିଶ୍ର ମଞ୍ଚାସୀନ ଥିବା ବେଳେ ଚକ୍ରପାଣି ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।