- ଭାଷା ଓ ସାହିତ୍ୟ ପାଇଁ ସୁବର୍ଣ୍ଣପୁର ରାଜ ଦରବାରର ର ବଡ ଅବଦାନ ଥିଲା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ରାଜଦରବାର ସୃଜନ, ମୁଦ୍ରଣ ଓ ମୂଲ୍ୟବୋଧ” ବିଷୟରେ ଇଙ୍କଫେଷ୍ଟର ଷଷ୍ଠ ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ବୌଦ୍ଧିକ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏହି କଥାଚକ୍ରରେ ଶିକ୍ଷାବିଦ୍ ଡ଼ଃ. କେଦାରନାଥ ମିଶ୍ର ଏବଂ ଗବେଷକ ସୁଦାମ ନାଏକ ଅତିଥି ଆଲୋଚକ ଭାବେ ଯୋଗଦେଇ ବିଷୟର ବିଭିନ୍ନ ପାର୍ଶ୍ୱ ଉପରେ ମନନଶୀଳ ଆଲୋଚନା କରିଥିଲେ । ସୁବର୍ଣ୍ଣପୁର ରାଜ ଦରବାରର ସୃଜନ ପରମ୍ପରା ଓ ପାଣ୍ଡୁଲିପି ପ୍ରକାଶନ ଧାରା ଉପରେ ଆଲୋକପାତ କରି ରାଜଦରବାର କେବଳ ଶାସନ କେନ୍ଦ୍ର ନୁହେଁ, ଏହା ସାହିତ୍ୟ, ସଂସ୍କୃତି ଓ କଳାର ଏକ ପ୍ରମୁଖ ପୋଷକକେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲେ ବୋଲି ମତ ରଖିଥିଲେ । ଡ଼ଃ. କେଦାରନାଥ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସୁବର୍ଣ୍ଣପୁର ରାଜଦରବାରର ସୃଜନଶୀଳ ପରିବେଶ ଅନେକ କବି, ପଣ୍ଡିତ ଓ କଳାକାରଙ୍କୁ ପ୍ରେରଣା ଦେଇଥିଲା । କବି ଗଙ୍ଗାଧର ମିଶ୍ରଙ୍କ କୋଶଳାନନ୍ଦ ଓ ବିନୋଦଚନ୍ଦ୍ର ମଜୁମଦାରଙ୍କ ଓଡିଶା ଇନ ଦ ମେକିଂ ବହିର ନିର୍ଯ୍ୟାସ ଉପରେ ଆଲୋକପାତ କରିଥିଲେ । ମୁଦ୍ରଣ ପ୍ରକ୍ରିୟା ଓ ପାଣ୍ଡୁଲିପି ସଂରକ୍ଷଣ ମାଧ୍ୟମରେ ସାହିତ୍ୟ ସଂପଦକୁ ସୁରକ୍ଷିତ ରଖାଯାଇଥିବା ବିଷୟରେ ସେ ବିସ୍ତୃତ ଆଲୋଚନା କରିଥିଲେ । ଏହାଦ୍ୱାରା ତତ୍କାଳୀନ ସୁବର୍ଣ୍ଣପୁର ଗଡ଼ଜାତ ଅଞ୍ଚଳର ସାମାଜିକ ଓ ନୈତିକ ମୂଲ୍ୟବୋଧକୁ ମଜବୁତ କରିଥିବା ସେ ଉଲ୍ଲେଖ କରିଥିଲେ । ଗବେଷକ ସୁଦାମ ନାଏକ କହିଥିଲେ ଯେ, ରାଜନ୍ୟ ବର୍ଗଙ୍କ ଦ୍ଵାରା ସାହିତ୍ୟି, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକଳାପ ସବୁକୁ ଆର୍ଥିକ ସହାୟତା ଦିଆଯାଉଥିବାବେଳେ ସେ ସମୟରେ ଅନେକ ପୁସ୍ତକ ପ୍ରକାଶନ କରାଯାଇ ଓଡ଼ିଆ ସାରସ୍ୱତ ସାହିତ୍ୟକୁ ସମୃଦ୍ଧ କରିଛି । ଅନେକ କାଳଜୟୀ ପୁସ୍ତକ ପ୍ରକାଶନ ସହ ଲେଖକ ଓ କବିଙ୍କୁ ପ୍ରୋତ୍ସାହନ ଦେବାରେ ରାଜା ବୀରମିତ୍ରଦୟୋ ସିଂହଦେଓଙ୍କ ଅବଦାନ ଅତୁଳନୀୟ ଥିଲା । ଏପରିକି ସେ ଆର୍ଥିକ ଅନୁଦାନ ଦେଇ କୋଲକାତା ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ଓ ରେଭେନ୍ସା ମହାବିଦ୍ୟାଳୟରେ ରାଜମାତା ପାର୍ବତୀ ଦେବୀଙ୍କ ନାମରେ ଇଂରାଜୀ ଚେୟାର ପ୍ରତିଷ୍ଠା କରିଥିଲେ । ଆଜିର କଥାଚକ୍ରରେ ଡ଼ଃ. ସୌରଭ ରଞ୍ଜନ ଖମାରୀ ସଭାପତିତ୍ୱ କରିଥିବାବେଳେ ଇଙ୍କଫେଷ୍ଟ କଥାଚକ୍ରର ସଂଯୋଜକ ବେଣୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ବୌଦ୍ଧିକ କଥାଚକ୍ରକୁ ସୁବର୍ଣ୍ଣପୁରର ଆର୍ଟ କ୍ରିଏସନ ପ୍ରଯୋଜନା କରିଥିଲେ ।