ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ନିକଟରୁ ବିଳମ୍ବିତ ରାତିରେ ବିପୁଳ ପରିମାଣରେ ଖଇର କାଠ ଜବତ କରିଛି ସଇଁତଲା ପୋଲିସ । ଏକ ନମ୍ବର ବିହୀନ ଟ୍ରକ୍ରେ ଏସବୁ କାଠ ଚୋରା ଚାଲାଣ ହେଉ ଥିବା ଜଣାପଡିଛି । ସଇଁତଲା ରେଳ ଷ୍ଟେସନରୁ ଜାତୀୟ ରାଜପଥ-୨୬କୁ ସଂଯୋଗ କରୁଥିବା ରାସ୍ତାରେ ପୋଲିସ ପେଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ନମ୍ବର ବିହୀନ ମିନିଟ୍ରକକୁ ପୋଲିସ ସନ୍ଦେହରେ ଅଟକାଇ ଥିଲା । ଫଳରେ ଗାଡି ଅଟକାଇ ଟ୍ରାଇଭର ଡେଇଁ ଫେରାର ମାରିବାରେ ସଫଳ ହୋଇଛି । ତଦନ୍ତ ପରେ ଟ୍ରକ୍ ଭିତରେ ବିପୁଳ ପରିମାଣର ଖଇର କାଠ ଥିବା ଜଣାପଡ଼ିଥିଲା । କାଠ ସହ ଗାଡ଼ିକୁ ଥାନାକୁ ଅଣାଯାଇଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପ୍ରକାଶଥାଉ କି ଆଗରୁ ସଇଁତଲା ଓ ମୁରିବାହାଲ ରେଞ୍ଜ ଅଧୀନସ୍ଥ ସୁଲିଆ, କପାଟ, ଖୁସା ସଂରକ୍ଷିତ ଜଙ୍ଗଲରୁ ନିୟମିତ ଭାବେ ଏହି ରାସ୍ତାରେ ରାଜ୍ୟ ବାହାରକୁ କେନ୍ଦୁ, ଖଇର, ଶାଗୁଆନ ଭଳି ମୂଲ୍ୟବାନ କାଠ ଚୋରା ଚାଲାଣ ହେଉଥିବା ବେଳେ ବନବିଭାଗ ଦ୍ଵାରା ଧରାପଡ଼ିଛି । ଜବତ ୯୪ଟି କାଠଗଣ୍ଡି (୯୧ ଘନଫୁଟ) ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ସୂଚନା ଦେଇଛନ୍ତି ।