
ଭୋଗରାଇ : ପଶ୍ଚିମବଙ୍ଗକୁ କାଠ ଚୋରା ଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚୋରା କାଠ, ଗାଡ଼ି ସମେତ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନଂ ରାଜ୍ୟ ରାଜପଥ ଦେଇ ଶୁକ୍ରବାର ବିଳମ୍ବିତ ରାତିରେ ବାଟଗ୍ରାମ ପୋଲ ଉପରେ ଜଳେଶ୍ୱର ରେଞ୍ଜରଙ୍କ ନେତୃତ୍ୱରେ ଉଦୟପୁର ବନପାଳ ଦାୟିତ୍ୱରେ ଥିବା ଅଧିକାରୀ ସଞ୍ଜୟ ମହାନ୍ତି ଏବଂ ସବୁଜ ବାହିନୀ ସଦସ୍ୟ ଭୋଳନାଥ ଦାସ, ହରିଶଙ୍କର ସାହୁ, ରାଜୀବ ଦାସ ପ୍ରମୁଖ ମିଳିତ ଭାବେ ଚଢ଼ାଉ କରି ଦୁଇ ଜଣ ଚୋରା କାଠ ମାଫିଆଙ୍କ ସମେତ ଗାଡ଼ି ଚାଳକଙ୍କୁ ଗିରଫ କରିଥିଲେ । ଏହାସହିତ ଓଡି-୦୧-ଏଏଚ-୧୨୧୧ ନମ୍ବର ଏକ ପିକ୍ଅପ୍ ଭେନ୍ ସହ ୩୦ଟି ଆକାଶିଆ ଲକ ସାଇଜର କାଠ ଗଣ୍ଡି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଆପାଳ ଥାନା ନୟାବାଲି ଗାଁର ଅଜୟ ସାହୁଙ୍କ ପୁଅ ଡ୍ରାଇଭର ବିନୋଦ କୁମାର ସାହୁ ଓ ଲକ୍ଷ୍ମୀଧର ଦଳାଇଙ୍କ ପୁଅ ପ୍ରଭାତ ଦଳାଇ, ଜାମୁକୁଣ୍ଡା ଗାଁର ଭୀମ ମଲ୍ଲିକଙ୍କ ପୁଅ ସର୍ବେଶ୍ୱର ମଲ୍ଲିକ । ସେମାନଙ୍କ ବିରୁଦ୍ଧରେ ବନ ବିଭାଗ ପକ୍ଷରୁ ଜଳେଶ୍ବର ବନବିଭାଗର କେସ ନଂ-୬୯-ଜେଏଲ/୨୨-୨୩ରେ ଏକ ମାମଲା ରୁଜୁ କରି ଶନିବାର ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।