
ବୋରିଗୁମ୍ମା : ପୁଅ ଭୁଲିଗଲା ମା’ର ସମ୍ପର୍କ । ପୁଅର କାଠ ଫାଳିଆ ମାଡ଼ରେ ମା’ ମୃତ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ସାନ ପରିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସାନ ପରିଆ ଗାଁର ରୁକଧର ଗୌଡ଼ ନାମକ ଯୁବକ କିଛି ବର୍ଷ ଧରି ମାନସିକ ଭାରସାମ୍ୟ ହରାଇ ଚିକିତ୍ସିତ ହେଉଥିଲେ । ବୁଧବାର ସକାଳୁ କୌଣସି କାରଣରୁ ନିଜ ୮୦ବର୍ଷ ବୟସ୍କ ବୃଦ୍ଧା ମା’ଙ୍କ ସହ ବଚସା ହୋଇଥିଲା । ପରେ ପୁଅ ଉତ୍ତ୍ୟକ୍ତ ହୋଇ ନିଜ ମା’ଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ଫଳରେ ବୃଦ୍ଧା ମା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ରୁକଧର ନିକଟରେ ଥିବା ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ସେହି କାଠ ଫାଳିଆରେ ଆକ୍ରମଣ କରିଥିଲା । ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗାଁ ଲୋକେ ସଙ୍ଗେ ସଙ୍ଗେ ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତକୁ କାବୁ କରି ପଚରାଉଚରା କରୁଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବେ ବୋଲି ବୋରିଗୁମ୍ମା ଥାନା ଅଧିକାରୀ ଶ୍ୱେତ ପଦ୍ମା ସେଠ କହିଛନ୍ତି ।