
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କଲେଜଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ବଲାଙ୍ଗିର ସଙ୍କୁଳ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍ଯାପିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ସଙ୍କୁଳ ପ୍ରମୁଖ କାର୍ଯ୍ୟକ୍ରମରେ ରାମ କୁମାର ମିଶ୍ର, ସଙ୍କୁଳ ସଂଯୋଜକ ଆଲୋକ ଭୋଇ, ବିଦ୍ୟାଳୟର ସଭାପତି ସୁନୀଲ ପଣ୍ଡା, ସଂପାଦକ ଅଶୋକ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ସମ୍ଭାଗ କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ସଂପର୍କରେ ବକ୍ତବ୍ୟ ରଖିଥିଲେ । ତିନି ଦିନ ବ୍ୟାପୀ ଏହି କର୍ମଶାଳାରେ ଶିଶୁ ବାଟିକା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ, ତୃତୀୟରୁ ପଞ୍ଚମ ଶ୍ରେଣୀ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଏନ୍.ଇ.ପି ଆଧାରିତ ବିଭାଗ ଅନୁଯାୟୀ ଶୈକ୍ଷିକ କାଳାଂଶମାନ ଅନୁଷ୍ଠିତ ହୋଇଥିଲା । ଶିଶୁ ଶିକ୍ଷା, ଉପକରଣ ପ୍ରସ୍ତୁତି, ଗୀତାଭିନୟ ଅଭ୍ୟାସ, ପାଠ୍ୟ ଯୋଜନା ପ୍ରସ୍ତୁତି, ଭ୍ରମଣ କାର୍ଯ୍ୟକ୍ରମ, ସ୍ପୋକେନ ଇଙ୍ଗ୍ଲିଶ, କ୍ରିୟା ଆଧାରିତ ଶିକ୍ଷା, ଆଇସିଟି ଯୁକ୍ତ ଆଦର୍ଶ ଶିକ୍ଷାଦାନ, ସ୍ୱାଧିନତା ସଂଗ୍ରାମୀଙ୍କ ଜୀବନୀ ସମ୍ବନ୍ଧୀୟ ଆଲୋଚନା ହୋଇଥିଲା । ଶିଶୁର ସମଗ୍ର ବିକାଶ ସମ୍ବନ୍ଧରେ ଶିବ ତ୍ରିପାଠୀ ଆଲୋଚନା କରିଥିବା ବେଳେ ଅଭିଜ୍ଞ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ବାଗ ସଂଯୋଜକ ଜିତେନ୍ଦ୍ର କୁମାର ପଣ୍ଡା ସଙ୍ଗୀତ ଅଭ୍ୟାସ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଡା. ମଞ୍ଜୁଳାକାନ୍ତ ପଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଉଦ୍ଯାପନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି କାଳିପ୍ରସାଦ ମିଶ୍ର, ଯୁଗ୍ମ ସଂପାଦକ ଭବାନୀ ଶଙ୍କର ପାଣିଗ୍ରାହୀ, କୋଷାଧ୍ୟକ୍ଷ ନୀଳାଂଚଳ ଚିରଗୁନ, ସଦସ୍ୟା ପଙ୍କଜିନୀ ଠାକୁର ଓ ସାବିତ୍ରୀ ସେଠ୍ ପ୍ରମୁଖଙ୍କ ଗହଣରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଫାଲଗୁନି ମହାନନନ୍ଦିଆ ଆଚାର୍ଯ୍ୟ ରାଷ୍ଟ୍ର ନିର୍ମାତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ସଙ୍କୁଳ ଅନ୍ତର୍ଗତ ୧୦ଟି ଶିଶୁ ମନ୍ଦିରରୁ ୧୫୦ ଜଣ ଗୁରୁଜୀ ଗୁରୁମା ଅଂଶଗ୍ରହଣ କରିଥିଲେ । ସଙ୍କୁଳ ପ୍ରମୁଖ ରାମ କୁମାର ମିଶ୍ର ଓ ସଙ୍କୁଳ ସଂଯୋଜକ ଆଲୋକ ଭୋଇ ତଥା ସମସ୍ତ ପ୍ରଧାନାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ କର୍ମଶାଳାଟି ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ ।