ସେଞ୍ଚୁରିଅନଠାରେ ରାଷ୍ଟ୍ର ନିର୍ମାଣରେ ଛାତ୍ରମାନଙ୍କର ଭୂମିକା ଶୀର୍ଷକରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ପରିସରରେ ରାଷ୍ଟ୍ର ନିର୍ମାଣରେ ଛାତ୍ରମାନଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟପାଠ ଚ୍ୟାନେଲର ସମ୍ପାଦକ ସତ୍ୟ ପ୍ରକାଶ ନାୟକ ଏବଂ ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ମନୋରଞ୍ଜନ ଯୋଶୀ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ବକ୍ତବ୍ୟ ଦ୍ୱାରା ସମ୍ବୋଧିତ କରିଥିଲେ । ଛାତ୍ରଛାତ୍ରୀମାନେ ରାଜନୀତି କ୍ଷେତ୍ରରେ ଆଗେଇ ଆସି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୋଗଦାନ କରନ୍ତୁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ଓ ସୌମେନ୍ଦ୍ର ପରିଛା ଯୋଗଦାନ କରିଥିଲେ । ଆଲୋଚନାଚକ୍ର ଶେଷରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ ଅତିଥିମାନଙ୍କ ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିରେ ସେଞ୍ଚୁରିଅନ ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ ଓ ସିଏଚଏସଇ (ବିଜ୍ଞାନ)ର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନା କରିଥିଲେ । ଶେଷରେ ଏକାଦଶ ଶ୍ରେଣୀର ଛାତ୍ରୀ ଲୋପାମୁଦ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.