ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ରାଜ୍ୟର ଅଗ୍ରଣୀ ସଂସ୍ଥାନ ଓକେସିଏଲ୍ ପକ୍ଷରୁ “ଜ୍ଞାନ କେନ୍ଦ୍ର ମାଧ୍ୟମରେ ଅର୍ଥନୈତିକ ଓ ସାମାଜିକ ନେତୃତ୍ୱ ଗଠନ “ଶୀର୍ଷକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ପ୍ରତିନିଧି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ/ ଅଧ୍ୟକ୍ଷାଙ୍କ ସମେତ ମହାବିଦ୍ୟାଳୟର ନିର୍ଦ୍ଦେଶକମାନେ ମଧ୍ୟ ସାମିଲ ହୋଇଥିଲେ । ସାଂପ୍ରତିକ ସାମାଜିକ ସ୍ଥିତିରେ ଓଡିଶାର ଯୁବପିଢୀ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତିକସ୍ତରରେ ଚାକିରି/ରୋଜଗାର ସୁଯୋଗ ପାଇବା ନେଇ ଯେଉଁ ପ୍ରତିଶ୍ପର୍ଦ୍ଧାର ସମ୍ମୁଖୀନ ହେଉଛନ୍ତି, ତାହାର ସଫଳ ମୁକାବିଲା କରିବା ନିମନ୍ତେ ଓକେସିଏଲ୍ ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି । ସେଥିରେ ଗଞ୍ଜାମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକ ସାମିଲ ହେବାକୁ ଓକେସିଏଲ୍ ପକ୍ଷରୁ ଆହ୍ଵାନ ଦିଆଯାଇଥିଲା । ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ୟନିର୍ବାହୀ ଶ୍ରୀମତୀ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାକୁ ବରିଷ୍ଠ ଶିକ୍ଷାବିତ ତଥା ଖଲ୍ଲିକୋଟନଗରସ୍ଥ ରାମଚନ୍ଦ୍ର ମର୍ଦ୍ଦରାଜ ଦେବ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବିମଳ ପ୍ରସାଦ ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଓକେସିଏଲ୍ର ବରିଷ୍ଠ ଅଧିକାରୀ ଡକ୍ଟର କଲ୍ୟାଣ ପ୍ରସାଦ ଦାଶ ଓ କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ ଦାଶ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ଓ ସଫଳ ରୂପାୟନ ସମ୍ପର୍କରେ ବିଶେଷ ଭାବେ ଆଲୋକପାତ କରିଥିଲେ । ଉପସ୍ଥିତ ଅଧ୍ୟକ୍ଷ ଓ ନିର୍ଦ୍ଦେଶକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଏକ ଗଠନମୂଳକ ଆଲୋଚନା ହୋଇଥିଲା । ଓକେସିଏଲର ଏହି “ନଲେଜ ସେଣ୍ଟର” ପରିକଳ୍ପନାକୁ ସମସ୍ତେ ଉଚ୍ଛ୍ୱସିତ ପ୍ରଶଂସା କରିବା ସହ ଏହି ପଦକ୍ଷେପ ସହ ଜଡିତ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ।