jayashree

ସ୍ୱଚ୍ଛତା, ସ୍ଥିରତା ଓ ଗ୍ରାମୀଣ ରୋଜଗାର ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମ୍ୟ ଶିକ୍ଷା ପରିଷଦ (ଏମ୍‌ଜିଏନ୍‌ସିଆର୍‌ଇ), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ତରଫରୁ ସ୍ୱଚ୍ଛତା, ସ୍ଥିରତା ଓ ଗ୍ରାମୀଣ ରୋଜଗାର ସମ୍ପର୍କରେ ଏକ କର୍ମଶାଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଉଦ୍‌ଘାଟନ କରି ପ୍ରଥମେ ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛତା, ସୌରଶକ୍ତି, ଜଳ ପରିଚାଳନା ପ୍ରଭୃତିରେ ସ୍ୱୟସମ୍ପୂର୍ଣ୍ଣ କରିବାକୁ ଆହ୍ୱାନ କରିଥିଲେ । ପ୍ରତ୍ୟେକ ଛାତ୍ର ଛାତ୍ରୀ ଏହାକୁ ଏକ ଆନ୍ଦୋଳନ ରୂପେ ଗଢି ତୋଳିବାକୁ ପ୍ରେରଣା ଦେଇଥିଲେ । ଇଂରାଜୀ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ ନିଜ ଅଭିଜ୍ଞତାରୁ ଏହି ବିଷୟରେ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ସେ କହିଥିଲେ ଯେ, ଆମେ ଛୋଟ ଛୋଟ ବିଷୟରୁ ଏହି ସବୁ କାମରେ ସ୍ଥିରତା ଆଣି ପାରିବା । ସେ ମହାବିଦ୍ୟାଳୟ ଓ ନିଜ ଗୋଷ୍ଠୀ ତଥା ଗାଁରେ ଜଳ, ଶକ୍ତି, ସ୍ୱଚ୍ଛତା ଉପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ବଲାଙ୍ଗିର ଜିଲ୍ଲା ସାଧନ କର୍ମୀ ଅଧ୍ୟାପକ ରୋହିତ କିଶୋର କୁମ୍ଭାର କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଉଦ୍‌ବୋଧନ ଦେଇ ଛାତ୍ର ଛାତ୍ରୀମାନେ ସେତୁବନ୍ଧ ନିର୍ମାଣରେ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ନିଜ ମହାବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବାକୁ କହିଥିଲେ । ସେ ଏମ୍‌ଜିଏନ୍‌ସିଆର୍‌ଇର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ପରିଶେଷରେ ଅଧ୍ୟାପକ କରୁଣାକର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ପ୍ରାଧ୍ୟାପକ ଦେବେନ୍ଦ୍ରନାଥ ମେହେର, ପ୍ରାଧ୍ୟାପିକା ନମିତା ମିଶ୍ର, ସବିତା ମିଶ୍ର, ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର, ସଞ୍ଜୟ ମିଶ୍ର, ପ୍ରଭାସିନୀ ରାଉତରାୟ, ଦିଶା ଅଗ୍ରୱାଲ ଓ କ୍ରିଷ୍ଣା ମେହେର ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସଂକଳ୍ପ ନେଇଥିଲେ ।

Leave A Reply

Your email address will not be published.