jayashree

ବ୍ୟାଡମିଣ୍ଟନ ବୈଷୟିକ ଅଧିକାରୀ କର୍ମଶାଳା ଉଦ୍‌ଘାଟିତ : ତାଲିମ ନେଉଛନ୍ତି ୩୦ ପ୍ରାର୍ଥୀ

  • ଆନ୍ତରିକତା, ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ଆପେ ବାଟ ଫିଟେ – ଅମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିଅମ ସାରା ରାଜ୍ୟରେ ନିଜ ଢଙ୍ଗର ଏକ ମାତ୍ର ଷ୍ଟାଡିଅମ ଭଳି ଏକ ଉକ୍ତି ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଅମ୍ପାୟାର ଓ ରାଜ୍ୟ ବ୍ୟାଡମିଣ୍ଟନ ସଂପାଦକ ପ୍ରକାଶ କରିବା ଶୁଣି ବଲାଙ୍ଗିରବାସୀ ନିଶ୍ଚୟ ଗର୍ବ ଅନୁଭବ କରିବେ । ବଲାଙ୍ଗିର ଭଳି ପଛୁଆ ଅନଗ୍ରସର ଅଂଚଳରେ ଏଭଳି ଏକ ଆଧୁନିକ ଓ ଉନ୍ନତମାନର ଷ୍ଟାଡିଅମ ସମ୍ଭବ କରିଥିବା ଉଦ୍ୟୋକ୍ତାମାନଙ୍କୁ ମୁଁ ସାଧୁବାଦ ଜଣାଉଛି । ତେବେ ଆନ୍ତରିକତା, ଉଦ୍ୟମ ଓ ରାଜନୈତିକ ଇଚ୍ଛାଶକ୍ତି ଥିଲେ ସବୁ ସମସ୍ୟାର ସମାଧାନ ବାଟ ଆପେ ଆପେ ଫିଟିବା ସହିତ ବିଭିନ୍ନ ଦିଗରୁ ଲୋକେ ସହଯୋଗର ହାତ ବଢାନ୍ତି । ଆଶା ତାଲିମ ନେଉଥିବା ସମସ୍ତ ପ୍ରାର୍ଥୀ ନିଜ ଲକ୍ଷରେ ସଫଳ ହେବେ ବୋଲି ଆଜି ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ଷ୍ଟାଡିଅମଠାରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ବୈଷୟିକ ଅଧିକାରୀ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର କହିଛନ୍ତି । ସେ ଆହୁରି କହିଥିଲେ ଯେ, ବ୍ୟାଡମିଣ୍ଟନ କ୍ଷେତ୍ରରେ ବଲାଙ୍ଗିର ନିଜର ନାଁ କରି ଆସିଛି । ଦୁର୍ବଳ ଭିତ୍ତିଭୂମି ସତ୍ୱେ ବହୁ ବର୍ଷ ପରେ ପୁଣି ବଲାଙ୍ଗିର ଖେଳାଳି ରାଜ୍ୟସ୍ତରର ବିଭିନ୍ନ ବର୍ଗରେ ପୁଣି ବିଜୟ ଧାରା ଆରମ୍ଭ କରିଛନ୍ତି । ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତାମାନଙ୍କ ଉଦ୍ୟମ ନିଶ୍ଚୟ ଭାବେ ପ୍ରଶଂସାର ପାତ୍ର । ଏଭଳି ଭିତ୍ତିଭୂମି ବଲାଙ୍ଗିର ଖେଳାଳିମାନଙ୍କ ପରିଶ୍ରମ ଓ ପ୍ରତିଭାକୁ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ଉନ୍ନିତ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜି ସକାଳୁ ପୂର୍ବନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସଂପାଦକ ନୀଲିନ କୁମାର, କୋର୍ଟ ଅଫିସିଆଲ କମିଟି ଅଧ୍ୟକ୍ଷ ମନୋରଞ୍ଜନ ଦାଶ, ରାଜ୍ୟ ବରିଷ୍ଟ ବୈଷୟିକ ଅଧିକାରୀ ଜୟନ୍ତ ମିଶ୍ର ଷ୍ଟାଡିଅମକୁ ପହଞ୍ଚି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ । ପରେ ଆନ୍ତର୍ଜାତୀୟ ଓ ଅଲମ୍ପିକ ଅମ୍ପାୟାର ଉଦୟ ସାହାନେ ଓ ମୁଖ୍ୟ ଅତିଥି ଅମରେନ୍ଦ୍ର ମିଶ୍ରଙ୍କୁ ଜିଲ୍ଲା ସଂଘର କର୍ମକର୍ତ୍ତାମାନେ ସ୍ୱାଗତ କରିବା ପରେ ବିଧିବଦ୍ଧ ଭାବେ ବ୍ୟାଡମିଣ୍ଟନ ବୈଷୟିକ ଅଧିକାରୀ କର୍ମଶାଳା ଉଦ୍‌ଘାଟନ କରିଥିଲେ । । କରୋନା ଯୋଗୁଁ ବଲାଙ୍ଗିରରେ ଗତ ବର୍ଷ ୧୩ ବର୍ଷ ବର୍ଗର ଜାତୀୟ ପ୍ରତିଯୋଗିତା ହରାଇଥିଲା । କିନ୍ତୁ ବର୍ତ୍ତମାନ ବଲାଙ୍ଗିର ସ୍ଥିତ ଇନ୍‌ଡୋର ସାରା ରାଜ୍ୟରେ ନିଆରା । ଆଗାମୀ ଦିନରେ ଏଭଳି ଉନ୍ନତମାନର ଭିତ୍ତିଭୂମି ବିଭିନ୍ନ ସ୍ତରର ପ୍ରତିଯୋଗିତାକୁ ଆକର୍ଷିତ କରିବ ବୋଲି ରାଜ୍ୟ ସଂପାଦକ ନୀଲିନ ନିଜ ବକ୍ତବ୍ୟରେ କହିଥିଲେ । ସେହିପରି ଆନ୍ତର୍ଜାତୀୟ ଅମ୍ପାଆର ଶ୍ରୀ ସାହାନେ ମଧ୍ୟ ଇନଡୋର ସହିତ ଜିଲ୍ଲା ସଂଘର ଉଦ୍ୟମକୁ ଭୁୟସୀ ପ୍ରସଂଶା କରିବା ସହ ପ୍ରଶିକ୍ଷଣ ନେଉଥିବା ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଘନଶ୍ୟାମ ମିଶ୍ର, ଜିଲ୍ଲା କୋଡିନେଟର ଆଦିତ୍ୟ କେଜରିୱାଲ, ମ୍ୟାଚ କୋଡିନେଟର ସୁରେନ୍ଦ୍ର ନେପାଲ ମଞ୍ଚାସୀନ ଥିବା ବେଳେ ବୈଷୟିକ ଅଧିକାରୀ ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଜିଲ୍ଲା ସଭ୍ୟ ବିରେନ୍ଦ୍ର ମିଶ୍ର, ଝୁଲୁ ପଟ୍ଟନାୟକ, କବିଚନ୍ଦ୍ର ଠାକୁର, ସୁନୀଲ ବେହେରା, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.