ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ସମସ୍ୟାର ନିରାକରଣ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା, ମହିଳା ମାନଙ୍କ ଉପରେ ହେଉଥିବା ଅନ୍ଧବିଶ୍ୱାସ ଜନିତ ଅତ୍ୟାଚାରର ପରିଣତି । ଶିକ୍ଷାର ଅଭାବ, ସମାନତାର ଅଧିକାର ନ ମିଳିବା, ସଚେତନତାର ଅଭାବ ହିଁ ଏହି ସମସ୍ୟାର ମୂଳକାରଣ ହୋଇଥିବାରୁ ସାମୁହିକ ଉଦ୍ୟମ ଯୋଗୁ ସଫଳତା ମିଳିବ ବୋଲି ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଜନିତ ସମସ୍ୟାର ନିରାକରଣ ସମ୍ପର୍କରେ ଆୟୋଜିତ କର୍ମଶାଳାରେ ମତ ପ୍ରକାଶ ପାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆୟୋଜନରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପରିଚାଳନାରେ ବଲାଙ୍ଗିର ମିଶନ ଶକ୍ତି ଭବନରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥି ସଭାପତିତ୍ୱ କରିଥିବାବେଳେ ଯୁବୋଦୟ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସନ୍ଦୀପ କୁମାର କୁଅଁର ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ସମାଜର ଡାହାଣୀ ଜନିତ ସାମାଜିକ ସମସ୍ୟା ଅନ୍ଧବିଶ୍ୱାସ ଯୋଗୁ ହେଉଥିବାରୁ ଶିକ୍ଷା ଓ ସଚେତନତା ହିଁ ଏହାର ଦୂରୀକରଣ ପାଇଁ ସହାୟକ ହୋଇପାରିବ ବୋଲି କହି ଏଥିପାଇଁ ଥିବା ଆଇନ ଓ ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ । ଏହି କର୍ମଶାଳାରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲାବେଳେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶିବାନୀ ଠାକୁର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ପ୍ରକଳ୍ପ ଅଧିକାରୀ ସୁଜାତା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.