ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ତିନି ଦିବସୀୟ ଜାତୀୟ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୋଗାଯୋଗର ପରିଧି ସଂପ୍ରତି ଜଣଙ୍କ ଠାରୁ ଗଣଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ତେଣୁ ଏପରି ସମୟରେ ଯୋଗାଯୋଗ ବା କମ୍ୟୁନିକେସନ୍‌ର ଅତ୍ୟାଧୁନିକ ତଥା ବିକଶିତ ରୂପ ସଂପର୍କରେ ବିଶେଷ ଆଲୋଚନା କରିବା ପାଇଁ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ‘ତିନି ଦିବସୀୟ ଜାତୀୟ କର୍ମଶାଳା’ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରି ଏହି କର୍ମଶାଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ, ଅଧ୍ୟାପିକାଙ୍କ ନିମନ୍ତେ ବେଶ ଗରୁତ୍ତ୍ୱପୂର୍ଣ୍ଣ ଥିବାର ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କ କମ୍ୟୁନିକେସନ୍‌ ସ୍କିଲ୍‌ କେଉଁଭଳି ଭାବରେ ସେମାନଙ୍କ ବ୍ୟକ୍ତିତ୍ୱକୁ ଉପଯୁକ୍ତ ଭାବରେ ଉପସ୍ଥାପିତ କରିବାରେ ସାହାଯ୍ୟ କରେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ‘କମ୍ୟୁନିକେସନ୍‌ ଡିଜାଇନ୍‌ ଆଣ୍ଡ ଆପ୍ଲିକେସନ୍‌’ ବିଷୟକ ଏହି କର୍ମଶାଳା ତା. ୨୬.୦୬.୨୦୨୪ ଠାରୁ ୨୮.୦୬.୨୦୨୪ ରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ସ୍ଥିତ ଏ. ପି. ଜେ. ଅବଦୁଲ୍‌ କଲାମ୍‌ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହେବ । ଏହି କର୍ମଶାଳାର ପ୍ରଥମ ଦିବସରେ ଡକ୍ଟର ହୃଷିକେଶ ପାଣିଗ୍ରାହୀ, ସ୍ୱନାମଧନ୍ୟ ଉଦ୍‌ଘୋଷକ, ଆକାଶବାଣୀ ଏବଂ ପ୍ରସନ୍ନଜିତ ରାଏ, ଓଟିଭି ଯୋଗଦେଇ ସଂପୃକ୍ତ ବିଷୟରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଏହି ତିନି ଦିବସୀୟ କର୍ମଶାଳା ମହାବିଦ୍ୟାଳୟର ଆଇକ୍ୟୁଏସି ସେଲ୍‌ ଦ୍ୱାରା ବିଶେଷ ଭାବରେ ପରିଚାଳିତ ହେଉଛି । ଏହି ଉଦ୍‌ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀନାରାୟଣ ସାହୁ, ଅଧ୍ୟାପିକା ପିଙ୍କିରାଣୀ ଦେଇ ପ୍ରମୁଖ ଯୋଗାଯୋଗ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମଗୁଡିକ ଉପରେ ବିଶେଷ ମତ ରଖିଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ରଶ୍ମିରଞ୍ଜନ ବେହେରା ଏବଂ ଇତିହାସ ବିଭାଗର ଅଧ୍ୟାପିକା ସପା ରଞ୍ଜିତାରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.