ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଜ୍ଞାନର ଅଗ୍ରଗତି ପରେ ମଧ୍ୟ ପ୍ରାଚୀନ ଯୁଗରୁ ଗୁଣିଗାରେଡ଼ି, ଯାଦୁବିଦ୍ୟା, ତନ୍ତ୍ରସାଧନ, ଝଡ଼ାଫୁଙ୍କା ଆଦି ଅନ୍ଧବିଶ୍ୱାସ ଆଜିବି ସମାଜରେ ଦେଖିବାକୁ ମିଳୁଛି । ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ । ଫଳରେ ଏହାକୁ ନେଇ ବିଭିନ୍ନ ପ୍ରକାର ଅପରାଧ ଘଟୁଛି । ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସ ଯୋଗୁଁ ଏବଂ ଡାହାଣୀ ବୋଲି କହି ଏକାଧିକ ନିରୀହ ଜୀବନ ମଧ୍ୟ ସଙ୍କଟାପନ୍ନ ହେଉଛି । ଏକବିଂଶ ଶତାବ୍ଦୀରେ ଏହି ଅନ୍ଧ ବିଶ୍ୱାସ ଏକ ସମ୍ବେଦନଶୀଳ ବିଷୟ ବୋଲି ମୟୂରଭଞ୍ଜ ଜିଲ୍ଲାପରିଷଦ ହଲ୍ରେ ଡାହାଣୀ ପ୍ରଥା ନିଷେଧ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ନିବାରଣ ପାଇଁ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାକୁ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ର (ଭାପ୍ରସେ) ପୌରହିତ୍ୟ କରି ଉପସ୍ଥିତ ପୋଲିସ ଅଫିସର ଏବଂ ଜିଲ୍ଲାମାନଙ୍କର ଅନ୍ୟାନ୍ୟ ଅଫିସର ଏବଂ ସ୍ୱେଛାସେବୀ ଅନୁଷ୍ଠାନ ପ୍ରତିନିଧି ମାନଙ୍କୁ ବିଭିନ୍ନ ଦିଗ ପ୍ରତି ସଚେତନ କରେଇ ଥିଲେ । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ସ୍ୱାଗତ ଭାଷଣ ରଖି ଉପସ୍ଥିତ ସଭାକୁ କର୍ମଶାଳାର ମହତ୍ୱ ବିଷୟରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହେମକାନ୍ତ ସୟ୍ ଯୋଗଦେଇ ଗୁଣିଗାରେଡ଼ି ଏବଂ ଡାହାଣୀ ପ୍ରଥାକୁ ସଚେତନତା ମାଧ୍ୟମରେ ଦୂର କରିବା ସହ ଅନ୍ଧବିଶ୍ୱାସ ଦୂରୀକରଣ ସମ୍ପର୍କରେ ବ୍ୟାପକ ସଚେତନତା କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହାସହ ଆଧୁନିକ ଯୁଗରେ ଏହି ସାମାଜିକ ବ୍ୟାଧି ପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଅନୁଷ୍ଠିତ ୬ଟି ସୂତ୍ରରେ ପୂର୍ବତନ ସୂଚନା କମିଶନର ଶ୍ରୀମତୀ ଶଷିପ୍ରଭା ବିନ୍ଧାଣୀ, ଅବସରପ୍ରାପ୍ତ ବିଚାରପତି ନମିତା ଦାସ, ବରିଷ୍ଠ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ଶ୍ରୀମତୀ ମମତାମୟୀ ବିଶ୍ୱାଳ, ସିଡ଼ିପିଓ, ମୟୂରଭଞ୍ଜ, ପ୍ରାଧ୍ୟାପକ ଡ. ସୁଜୋୟ କୁଣ୍ଡୁ ପ୍ରମୁଖ ଯୋଗଦେଇ ଗୁଣିଗାରେଡିର ଭୟାବୟତା ସମ୍ପର୍କରେ ଅବଗତ କରିଥିଲେ । ତନ୍ତ୍ର ସାଧନ ପାଇଁ ନିରୀହ ଶିଶୁଙ୍କୁ ବଳି ଚଢ଼ାଯିବା, ଗୁଣିଆଙ୍କ କଥାରେ ପଡ଼ି ଏବଂ ନିରୀହ ଲୋକଙ୍କୁ ଡାହାଣୀ ଆଖ୍ୟା ଦେଇ ହତ୍ୟା କରାଯାଉଥିବା ଭଳି ଅନ୍ଧବିଶ୍ୱାସ ସମ୍ପର୍କରେ ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତା ଠିକ୍ ଭାବେ ପହଞ୍ଚି ନ ପାରିବା ଯୋଗୁଁ ଏହାର ମୂଳୋତ୍ପାଟନ ହୋଇପାରୁନି । ଏହା ସହ ବିଜ୍ଞାନ ସମ୍ମତ ଦୃଷ୍ଟିଭଙ୍ଗୀର ପ୍ରସାର କରିପାରିଲେ ଏଭଳି ଅନ୍ଧବିଶ୍ୱାସ ଦୂର ହୋଇପାରିବା ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସେହିପରି ଏହି ବାବଦରେ ରହିଥିବା ଆଇନ ସମ୍ପର୍କରେ ଉଲ୍ଲେଖ କରି ଗୁଣିଗାରେଡ଼ି ଓ ଡାହାଣୀ ପ୍ରତି ଲୋକଙ୍କ ଡର ଦୂର କରିବାକୁ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କର୍ମଶାଳାରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇଥିଲେ । ସଭା ଶେଷରେ ଅତିରିକ୍ତ ଏସ୍ପି ଦୀପକ କୁମାର ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।