ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସଦର ମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଉପସ୍ଥିତ ଥିଲେ । ଜିଲ୍ଲାପାଳ ଏକ ଜନ ମଙ୍ଗଳ ରାଷ୍ଟ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ସେ କହିଥିଲେ । ସେହିପରି କର୍ମଶାଳାରେ କେବଳ ଅଧିକାରୀ ନିଜ ବିଭାଗ କଥା ନ କହି ମହିଳାମାନେ ମଧ୍ୟ ପ୍ରଶ୍ନ ପଚାରନ୍ତୁ, ଦୁଇ ପକ୍ଷରୁ ଆଲୋଚନା ହେଲେ କର୍ମଶାଳାର ସଠିକ ପରିମାଣ ବାହାରିବ ବୋଲି କହିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଅଧିକାରୀ ଲକ୍ଷପତି ଦିଦି ଯୋଜନା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକରୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ମାନେ ଉପସ୍ଥିତ ରହିବା ସହିତ ନିଜ ନିଜ ପଞ୍ଚାୟତ ପାଇଁ ଯେଉଁମାନେ ସବୁ ନିଜ ଜୀବିକା ଜରିଆରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ନିଜକୁ ଜଣେ ଜଣେ ଲକ୍ଷପତି ଦିଦି ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେମାନେ ନିଜର ଅଭିଜ୍ଞତା ସର୍ବସମ୍ମୁଖରେ ବାଣ୍ଟିଥିଲେ । ଏହି ପରିପ୍ରେକ୍ଷୀରେ ଲକ୍ଷପତି ଦିଦିମାନେ ନିଜର ସଫଳ କାହାଣୀ ଉପସ୍ଥାପନା କରି ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ । ଅନ୍ୟାନ୍ୟ ଲାଇନ୍ ବିଭାଗରୁ ଆସିଥିବା ଅଧିକାରୀମାନେ ନିଜ ବିଭାଗର ଯୋଜନା ଦ୍ୱାରା ଜଣେ ମହିଳା କିପରି ସ୍ୱାବଲମ୍ବୀ ହେଇ ଲକ୍ଷପତି ଦିଦି ହେଇପାରିବ ସେ ବିଷୟରେ ବ୍ୟାଖ୍ୟା କରିଥିଲେ । ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହିତ ସେମାନଙ୍କ ରୋଜଗାର ବୃଦ୍ଧି କରିବା ଏହି ଲକ୍ଷପତି ଦିଦି ଯୋଜନାର ମୂଳ ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା । ମାଛ ଚାଷ, କୁକୁଡ଼ା ଚାଷ, ଗୋପାଳନ ଏବଂ ଅନ୍ୟାନ୍ୟ ବ୍ୟବସାୟ କରିବାକୁ ମହିଳା ମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରୁ ଚାରି ହଜାରରୁ ଉର୍ଦ୍ଦ ସଂଖ୍ୟାରେ ମହିଳାମାନେ ଆସି ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପିଡି ତରଣୀ ସୁନା, ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ, ସିଡ଼ିଭିଓ ଅଞ୍ଜନ ଦାସ, ଏଲଡିଏମ୍ ପ୍ରଶାନ୍ତ କୁମାର ବେହେରା, ମତ୍ସ୍ୟ ଅଧିକାରୀ ଉମେଶ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।