ପୁରୁଣା ପେନ୍‌ସନ୍‌ ଲାଗୁ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଏନ୍‌ପିଏସ୍‌ କର୍ମଚାରୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନୂତନ ପେନସନ ଉଚ୍ଛେଦ ଓ ପୁରୁଣା ପେନ୍‌ସନ୍‌ ଲାଗୁ ଦାବିରେ ଆଜି ଏନ୍‌ପିଏସ୍‌ କର୍ମଚାରୀ ମାନେ ରାଜରାସ୍ତାକୁ ଓହ୍ଲାଇ ଭବାନୀପାଟଣାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ୍‌ ପେନ୍‌ସନ୍‌ ସ୍କିମ୍‌ ଘୋଷଣା କରିବା ପରେ ଦେଶରେ କର୍ମଚାରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର, ରାଜ୍ୟ ସରକାରୀ କର୍ମଚାରୀ ଗୁରୁବାର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରି ଥିବାବେଳେ କଳାହାଣ୍ଡି ଏନ୍‌ଏମ୍‌ଓପିଏସ୍‌ ଶାଖା ପକ୍ଷରୁ ସଭାପତି ସାମନ୍ତ କୁମାର ପଟ୍ଟଯୋଶୀଙ୍କ ନେତୃତ୍ୱରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଯାଇଥିଲେ । ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ଏନ୍‌ଏମ୍‌ଓପିଏସ୍‌ କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ଲଳିତ କୁମାର ନାଏକ ରାଲିର ଅଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବୀରେନ୍ଦ୍ର ବାଗ, ରାଜ୍ୟ ଉପସଭାପତି ବଂକିମ ଚନ୍ଦ୍ର ସାଗର, ବସନ୍ତ କୁମାର, ପ୍ରଦ୍ୟୁମ୍ନ ହୋତା, ଜିତେନ୍ଦ୍ର ମୁଣ୍ଡ ପ୍ରମୁଖ ମଞ୍ଚରେ ଗୋଟିଏ ଦାବି ଏକ ଦେଶ, ଏକ ପେନ୍‌ସନ୍‌, ଅବିକଲ ପୁରୁଣା ପେନ୍‌ସନ୍‌ ପୁନଃ ପ୍ରଚଳନ ଦାବି କରିଥିଲେ । କେନ୍ଦ୍ର ସରକାରଙ୍କ ଏନ୍‌ପିଏସ୍‌ ୟୁପିଏସ୍‌ ଭଳି କୁତ୍ସିତ ପ୍ରଥାର କଠୋର ସମାଲୋଚନା କରିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାର ଏହି ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ସମସ୍ତ ବିଭାଗର ଏନ୍‌ପିଏସ୍‌ କର୍ମଚାରୀ କଠୋର ପଦକ୍ଷେପ ନେବା ପାଇଁ ବାଧ୍ୟ ହେବେ ବୋଲି ଚେତବାନୀ ଦେଇଥିଲେ । ଏହି ଶୋଭାଯାତ୍ରା ଓ ପ୍ରତିବାଦ ସଭାରେ ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ, ସମସ୍ତ ମାଧ୍ୟମିକ ତଥା ଉଚ୍ଚ ଶିକ୍ଷା ବିଭାଗ ସଂଘ, ଅମଲା ସଂଘ, ଗୃହ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜଙ୍ଗଲ ବିଭାଗ, ଜଳ ବିଭାଗ, ବିଦ୍ୟୁତ ବିଭାଗ, କୃଷି ବିଭାଗ, ଜନମଙ୍ଗଳ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ପଶୁ ଚିକିତ୍ସାଳୟ ତଥା ୨୮ ଗୋଟି ବିଭିନ୍ନ ବିଭାଗ ସହ ୧୩ ଗୋଟି ବ୍ଲକ ଏନ୍‌ଏମ୍‌ଓପିଏସ୍‌ ଶାଖାର ଶତାଧିକ ଏନ୍‌ପିଏସ୍‌ କର୍ମଚାରୀ ଯୋଗ ଦେଇଥିଲେ । ଅଜିତ ନାୟକ ଓ ଚିତ୍ତରଞ୍ଜନ ଦଳପତି ପ୍ରତିବାଦ ସଭାକୁ ପରିଚାଳନା କରିଥିଲେ । ପୁରୁଣା ପେନସନ ପ୍ରଚଳନ କରିବାପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.