କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ପାଳିତ

ଗୌରୀଶଙ୍କର ଥିଲେ ପ୍ରଜ୍ଞାପୁରୁଷ ଓ ସାହିତ୍ୟ ସାରଥି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଜାତି ଦାରୁଣ ସଂକଟର ସମ୍ମୁଖୀନ ହୋଇ ଅତ୍ୟାଚାର, ଅନ୍ୟାୟ, ଅନୀତି ପରାଧୀନତାରେ ସଢୁଥିବା ବେଳେ ଉତ୍କଳର ପ୍ରାଣ, ପ୍ରଜ୍ଞାପୁରୁଷ ସାହିତ୍ୟ ସାରଥି ପ୍ରବୀଣ ସାମ୍ବାଦିକ କର୍ମବୀର ଗୌରୀଶଙ୍କର ଆବିର୍ଭାବ ଓଡିଆ ଜାତିକୁ ନୂତନ ପ୍ରେରଣା ଯୋଗାଇଥିଲା ବୋଲି ଅତିଥିମାନେ ତାଙ୍କ ଜୟନ୍ତୀ ପାଳନ ଅବସରରେ ମତପ୍ରକାଶ କରିଥିଲେ । ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର୍‌ ୩ ସ୍ଥିତ ବାଜିରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ମୁଖ୍ୟବକ୍ତା ଭାବେ ମଞ୍ଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ଉପରୋକ୍ତ ମନ୍ତ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷୟିତ୍ରୀ କଳ୍ପନା ସୂତାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ କର୍ମବୀରଙ୍କ କର୍ମପ୍ରତି ଦାୟିତ୍ୱବୋଧ, ପ୍ରତିବଦ୍ଧତା, ନଅଙ୍କ ଦୁର୍ଭିକ୍ଷର ଭୟାବହତା ସଂପର୍କରେ ଲିଖିତ ଅଭିଯୋଗ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଦୀପିକା ସମ୍ବାଦପତ୍ର ପ୍ରକାଶନ, କଟକ ପ୍ରିଣ୍ଟିଂ ପ୍ରେସ, ଓଡିଆ ଭାଷାର ସୁରକ୍ଷା ପାଇଁ ବିଭିନ୍ନ ସାରଗର୍ଭକ ସାହିତ୍ୟ, କବିତା, ପ୍ରବନ୍ଧ ଆଲୋଚନା, ନାରୀ ଶିକ୍ଷା, ଓଡିଆ ଲୋକସଭା ଗଠନ, ସଂଗୀତ ଓ ଲୋକ ସାହିତ୍ୟର ପ୍ରଚାର ପ୍ରସାର, କାୟସ୍ଥଙ୍କ ସଭାପତି ଦାୟିତ୍ୱ, କଟକ ଟାଉନହଲ ନିର୍ମାଣ ତଥା ରାୟବାହାଦୁର ଉପାଧି ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ର ଅଭିଷେକ ରୁଦ୍ର ସେନାପତି, ରାହୁଲ ମହାନ୍ତି ଓ ଛାତ୍ରୀ ସୋନାଲୀ ମହାନ୍ତି କର୍ମବୀରଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁସ୍ତକ ଦେଇ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୁଦାଲି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ସହ କର୍ମବୀରଙ୍କ ଜୀବନୀ ସଂପର୍କରେ ସମ୍ୟକ ଧାରଣା ଦେଇଥିଲେ । ସଂଯୋଜିକା କଳ୍ପନା ସୂତାର ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.