କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଓ ପୋଷ୍‌ କାନୁନ୍‌-୨୦୧୩’ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ ସେଲ ତରଫରୁ ‘କର୍ମ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଓ ପୋଷ୍‌ କାନୁନ୍‌-୨୦୧୩’ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ବ୍ରଜମୋହନ ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ନ୍ୟାୟାଳୟର ସରକାରୀ ଓକିଲ ଇସ୍‌ମାଇଲ୍‌ ମହମ୍ମଦ, ଆଇନଜୀବୀ ଆଲୋକ କୁମାର ସାହୁ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି କହିଲେ ଶିକ୍ଷାନୁଷ୍ଠାନ ପରି ପବିତ୍ର ସ୍ଥାନରେ ଲିଙ୍ଗଭେଦ, ନାରୀ ପ୍ରତି ନ୍ୟୁନ ମନୋଭାବ, ଶାରୀରିକ ଉତ୍ପୀଡ଼ନ ଆଦିର କୌଣସି ସ୍ଥାନ ନାହିଁ । ନାରୀ ସମ୍ମାନ ଓ ନାରୀ ସୁରକ୍ଷା ଦିଗରେ ପ୍ରତିଟି ନାଗରୀକ ସଚେତନ ହେବା ସହିତ ପୋଷ୍ ଆଇନ ୨୦୧୩ର ଆଇନଗତ ଦିଗ ବିଷୟରେ ସମସ୍ତେ ଅବଗତ ହେବା ଆବଶ୍ୟକ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ନିଜ ବକ୍ତବ୍ୟରେ ଏହି ଆଇନର ଇତିହାସ ଓ ଆବଶ୍ୟକତା ବିଷୟରେ କହିବା ସହିତ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତ୍ୟେକ ଅନୁଷ୍ଠାନର ମୂଳ ନୀତି ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମହିଳାଙ୍କ ପ୍ରତି ଅତ୍ୟାଚାର କେବଳ ଶାରୀରିକ ନୁହେଁ, ମାନସିକ ଓ ଭାବନାତ୍ମକ ଦୁଃଖ ମଧ୍ୟ ଦେଇଥାଏ । ଏହାକୁ ଅଟକେଇବା ପାଇଁ ପ୍ରତ୍ୟେକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହାୟତା ଆବଶ୍ୟକ । ଇସ୍‌ମାଇଲ୍‌ ନିଜ ବକ୍ତବ୍ୟରେ ଏହି ଆଇନର ଦୁରୂପଯୋଗ ନକରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଆଲୋକ ବିଶ୍ୱାଳ ନିଜ ବକ୍ତବ୍ୟରେ କର୍ମକ୍ଷେତ୍ରରେ, ଶିକ୍ଷାନୁଷ୍ଠାନମାନଙ୍କରେ ମହିଳାଙ୍କ ପ୍ରତି ହେଉଥିବା ଶାରୀରିକ ଓ ମାନସିକ ଅତ୍ୟାଚାର ଆଦି ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପାରମ୍ଭରେ ଡଃ. ସୁଚିସ୍ମିତା ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଆଭ୍ୟନ୍ତରୀଣ ଅଭିଯୋଗ ସେଲର କାର୍ଯ୍ୟ ଓ ଦାୟିତ୍ୱ ସମ୍ପର୍କରେ ସୁଚନା ଦେଇଥିଲେ । ମହିଳା ଏବଂ ଛାତ୍ରୀମାନେ କୌଣସି ପ୍ରକାର ଅତ୍ୟାଚାରର ସମ୍ମୁଖୀନ ହେଲେ ସେମାନେ ନିର୍ଭୟରେ ଅଭିଯୋଗ କରିପାରିବେ ଏବଂ ଆଇସିସି ତାଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ପୂର୍ଣ୍ଣ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ସଭାଶେଷରେ ଆଭ୍ୟନ୍ତରୀଣ ଅଭିଯୋଗ ସେଲର ସଂଯୋଜିକା ସାପା ରଞ୍ଜିତାରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.