ଜିଲ୍ଲାପାଳ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ

  • ତରଭା ବିଡିଓଙ୍କ ଆର୍ଥିକ କ୍ଷମତା ପ୍ରତ୍ୟାହାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବିଡିଓ ଗଙ୍ଗାରାମ ବୁଡେକଙ୍କ ଆର୍ଥିକ କ୍ଷମତାକୁ ପ୍ରତ୍ୟାହାର କରିଛନ୍ତି ଜିଲ୍ଲାପାଳ ତଥା ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ନୃପରାଜ ସାହୁ । ଗତକାଲି ମଙ୍ଗଳବାର ବିଡିଓ ବୁଡେକଙ୍କ ସ୍ଥାନରେ ଜିଲାପାଳ ଡ. ସାହୁ ସୋନପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟସୁନ୍ଦର ରାଉତଙ୍କୁ ଏହି ଆର୍ଥିକ କ୍ଷମତା ସହ ତରଭା ଏବିଡିଓ ଦାୟିତ୍ୱ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ତରଭା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍ ଭାବେ ହୋଇ ପାରୁ ନ ଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟର ବିଲ୍ ବର୍ଷ ବର୍ଷ ଧରି ପ୍ରଦାନ କରୁ ନ ଥିଲେ ବିଡ଼ିଓ ଶ୍ରୀ ବୁଡେକ । ବିଭିନ୍ନ ସଂସ୍ଥାମାନେ କାମକରି ସାରିବା ପରେ ପ୍ରାପ୍ୟ ନପାଇ ହଇରାଣ ହେଉଥିଲେ । ପ୍ରଥମେ ବିଡିଓ ବୁଡେକଙ୍କ ନାମରେ ତରଭା ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧି ପରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର କର୍ମଚାରୀ ଓ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ । ଏପରିକି ଅଭିଯୋଗ ହେଉଥିଲା ଯେ ବିଡିଓ ଯନ୍ତ୍ରୀମାନଙ୍କୁ ଅଫିସରେ ସ୍ଥାନ ନଦେଇ ବାହାରେ ବସାଉଥିଲେ । ତାଙ୍କ ବ୍ୟବହାରରେ ଅଫିସର କର୍ମଚାରୀ ଅତିଷ୍ଠ ହୋଇପଡିଥିଲେ । ପ୍ରତିବାଦରେ ସେମାନେ ବୁଡେକଙ୍କ ଅଧିନରେ କାମ କରିବେ ନାହିଁ ବୋଲି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏଭଳି ସ୍ଥିତିରେ ନିଜର କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ସେପଟେ ବିଡିଓ ଶ୍ରୀ ବୁଡେକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଏଭଳି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ମୁଁ ଜାଣିନାହିଁ ଷ୍ଟେନୋଙ୍କ ଠାରୁ ମୁଁ ଏକ ଚିଠି ପାଇଛି । ବାପାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣରୁ ମୁଁ ଶନିବାର ଠାରୁ ଭୁବନେଶ୍ୱରରେ ଅଛି ବୋଲି ସେ କହିଥିଲେ ।

Leave A Reply

Your email address will not be published.