କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ରଣହୁଙ୍କାର, ସହସ୍ରାଧିକ କଂଗ୍ରେସ କର୍ମୀଙ୍କୁ ନେଇ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ରଣହୁଙ୍କାର ଆଜି ସାମ୍ନାକୁ ଆସିଛି । କଂଟାବାଂଜି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୩ଟି ବ୍ଲକ୍‌ ଅଂଚଳର ସହସ୍ରାଧିକ କଂଗ୍ରେସ କର୍ମୀଙ୍କୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିବା ବେଳେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ଓ କଂଟାବାଂଜି ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘର ଆହ୍ୱାନ କ୍ରମେ ସଂଘର ସଦସ୍ୟ ସଦସ୍ୟାମାନେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍‌ ପରିଧାନ କରିଛନ୍ତି । ସେହିପରି କଂଟାବାଂଜି ନିର୍ବାଚନ ମଣ୍ଡଳିରେ କଂଗ୍ରେସ ପକ୍ଷରୁ ମଧ୍ୟ ଜୋର୍‌ସୋର୍‌ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଏକ ବିଶାଳ ପଟୁଆର ସହ କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ଘେରାଓରେ ବିଧାୟକ ଶ୍ରୀ ସାଲୁଜାଙ୍କ ସହ କଂଟାବାଂଜି ଏନ୍‌ଏସି ଚେୟାର୍‌ମେନ୍‌ ବରିୟାମ୍‌ ସିଂ ସାଲୁଜା, ତୁରେକେଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୂଜା ବେହେରା, କଂଟାବାଂଜି ନିର୍ବାଚନ ମଣ୍ଡଳି ୩ଟି ବ୍ଲକ ଅନ୍ତର୍ଗତ ୬୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଏବଂ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ସାମିଲ୍‌ ରହି ନାରାବାଜି କରିବା ସହ ବଲାଙ୍ଗିର ଜିଲ୍ଲାରେ ଅଫିସର୍‌ ରାଜ୍‌ ଚାଲୁଥିବା ଅଭିଯୋଗ ଉଠାଇଛନ୍ତି ।

Leave A Reply

Your email address will not be published.