
ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୧୦,୦୦୦ କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ବ୍ଲକର ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ତରଫରୁ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ଅଧିନସ୍ତ ବଘଲା ଗ୍ରାମରେ ଏକ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲ, ଅତିରିକ୍ତ କୃଷି ଅଧିକାରୀ ଶ୍ରୀମତୀ ସୁଜାତା ଛତ୍ରିଆ, ଗ୍ରାମ୍ୟ କୃଷି ଅଧିକାରୀ ଶ୍ରୀମତୀ ସବିତା ପାଣିଗ୍ରାହୀ ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃଷକ ଉତ୍ପାଦକ କମ୍ପାନୀ ଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ମା’ ମହଦାଶନୀ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ଦାସ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନର ରାଜେନ୍ଦ୍ର କୁମାର ମେହେର ମଧ୍ୟ ଉପସ୍ଥିତ ରହି କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ଏହାର ଉପକାରିତା ବିଷୟରେ ଆଲୋଚନା କରିଥିଲେ । ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟୁନା ମିଶ୍ର ଏବଂ ହିସାବ ରକ୍ଷକ ଦଳପତି ଓଂକାର ଦତ୍ତ ଠାକୁର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସରକାରୀ ପଦାଧିକାରୀଗଣ ସରକାରଙ୍କର ବିଭିନ୍ନ ଯୋଜନାରେ କୃଷକ ଉତ୍ପାଦକ କମ୍ପାନୀର ଭୂମିକା କ’ଣ ଅଛି ଏବଂ ସାଧାରଣ କୃଷକ ଏହି କମ୍ପାନୀରୁ କିଭଳି ଲାଭବାନ ହୋଇପାରିବେ, ସେ ବିଷୟରେ ଆଲୋଚନା କରିଥିଲେ । କୃଷକମାନେ ଏହି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ସଙ୍ଗଠିତ ହେଲେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ସହଜରେ ବିକ୍ରି କରି ପାରିବା ସହିତ ଠିକ ସମୟରେ ନିର୍ଦ୍ଧାରିତ ମୂଲ୍ୟ ପାଇ ଲାଭବାନ ହୋଇ ପାରିବେ ବୋଲି ମତ ପ୍ରକାଶ ପାଇଛି । ସମ୍ପ୍ରତି ରାଜ୍ୟ ସରକାରଙ୍କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ୧୦ଟି ଗୋଷ୍ଠୀରୁ ପାଖାପାଖି ୩୦ ଜଣ ମହିଳା ଏବଂ ବଘଲା ଗ୍ରାମର ପାଖାପାଖି ୩୦ ଜଣ ପୁରୁଷ ଚାଷୀ ଯୋଗଦାନ କରିଥିଲେ ।