ବୈତାଳି କ୍ଲଷ୍ଟରରେ ବଜ୍ରପାତରୁ ସତର୍କତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ନେତୃତ୍ୱ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ‘ବିଦ୍ୟାଳୟ ନିରାପତ୍ତା ଯୋଜନା’ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଜ୍ରପାତରୁ ସୁରକ୍ଷା ଏବଂ ବନ୍ୟା ସମୟରେ ସତର୍କତା ଉପରେ ଶିକ୍ଷକମାନେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଶ୍ରୀ ସାହୁ ପ୍ରତ୍ୟକ୍ଷ ଭାବେ କ୍ଲଷ୍ଟରର ଦୁଇଟି ସ୍କୁଲ ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଡୁଙ୍ଗୁରିଚଢ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରତ୍ୟକ୍ଷ ଭାବେ ଯାଇ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଦେବଗଡ଼ ଜିଲ୍ଲାର ତିଳେଇବଣୀ ବ୍ଲକର ଏକ ବିଦ୍ୟାଳୟରେ ବଜ୍ରପାତ ଯୋଗୁଁ କିଛି ଛାତ୍ରଛାତ୍ରୀ ଅଚେତ ହୋଇ ପଡ଼ିଥିବା ସଙ୍ଗେ ଛାତରୁ ସିମେଣ୍ଟ ଖସି ପଡ଼ିଥିଲା । ଏହାକୁ ଗୁରୁତ୍ୱ ଦେଇ ଶନିବାର ଦିନ ମାସ ଡ୍ରିଲ ତଥା ବାଳସଭା ପିରିୟଡ଼ରେ ବିଦ୍ୟାଳୟ ନିରାପତ୍ତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସମଗ୍ର ଶିକ୍ଷା ତରଫରୁ ଛାତ୍ରଛାତ୍ରୀମାନଙ୍କ ସୁସ୍ଥତା ଏବଂ ନିରାପତ୍ତା ନିମନ୍ତେ ପ୍ରତିମାସ ଏକ ମକ ଡ୍ରିଲ କରିବା ପାଇଁ ନିର୍ଦ୍ଦେଶ ରହିଛି, ଏଥିପାଇଁ ପ୍ରତ୍ୟେକ ଶିକ୍ଷକମାନଙ୍କୁ ବାର୍ଷିକ ୫ ଶହ ଟଙ୍କାର ଅନୁଦାନ ସ୍ୱତନ୍ତ୍ର ଭାବେ ଏବଂ ବିଦ୍ୟାଳୟ ପାଇଁ ୨ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଏହି ଅନୁଦାନର ସୁବିନିଯୋଗ ପାଇଁ ତଥା ଛାତ୍ରଛାତ୍ରୀମାନଙ୍କୁ ବଜ୍ରପାତ ଏବଂ ବନ୍ୟା ସମୟରେ ସତର୍କ ରହିବା ନିମନ୍ତେ ସିଆରସିସି ଦିବସ କୁମାର ସାହୁଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.