ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତରଫରୁ ଖୁସି ରହିବାର ଉପାୟ ଉପରେ ଏକ ଚାରିଦିନିଆ କର୍ମଶାଳା ଏସ୍ଏସ୍ଆର୍ଭିଏମ୍ ପରିଚାଳିତ ସେକ୍ଟର ୨୦ ଓ ସେକ୍ଟର ୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିରର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ସିଜିଏମ୍ ଡ଼ଃ. ଗିରିଜା ଶଙ୍କର ଦାସ ଓ ଚନ୍ଦ୍ରଚୂଡ ପାଣିଗ୍ରାହୀ ଯୋଗଗୁରୁ ଭାବେ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ଡ଼ଃ ଦାସ ଓ ଶ୍ରୀ ପାଣିଗ୍ରାହୀ ଆର୍ଟ ଅଫ ଲିଭିଙ୍ଗ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ମାନଙ୍କୁ ଖୁସି ରହିବାର ଉପାୟ, କିପରି ନିଜେ ଖୁସି ରହିଲେ ଅନ୍ୟକୁ ଖୁସି ରଖିପାରିବା, ସଂକଳ୍ପ ଦୃଢ ହେଲେ ଇଶ୍ଵର ପ୍ରାପ୍ତି ଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସୁଦର୍ଶନ କ୍ରୀୟା ତଥା ଜୀବନ ବଞ୍ଚିବାର କଳା ଶିକ୍ଷା ସହ କ୍ଷମା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ଖୁସବୁ ଜ୍ୟୋତି, ପ୍ରବନ୍ଧକ ଯଶବିନ୍ଦର କୌର, ସଚ୍ଚିନ୍ଦ୍ରମ ସେନଗୁପ୍ତ, ଦେବସ୍ମିତା ପାଣିଗ୍ରାହୀ, ପ୍ରଶାନ୍ତି ଘଡେଇ, ମୀନାକ୍ଷୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷା ଡ଼ଃ. ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ ।