ଜିଲ୍ଲା ସ୍ତରୀୟ ବେଟି ପଢ଼ାଓ ବେଟି ବଚାଓ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜାତୀୟ ବାଳିକା ଦିବସ ୨୦୨୫ ଏବଂ ବେଟି ବଚାଓ ବେଟି ପଢାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ବ୍ରଜ ମୋହନ ହାଇସ୍କୁଲର ସେଣ୍ଟିନାରୀ କକ୍ଷ, ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପାଳନ ଉତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗ ଦେଇ କନ୍ୟା ସନ୍ତାନ ମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଲିଂଗଗତ ବୈଷମ୍ୟତା ଦୂରୀକରଣ, ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ମତ ପୋଷଣ କରିଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ, ଭାରପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ଜିଲ୍ଲା ଶିଶୁ ମଙ୍ଗଳ କମିଟି ରୁପେଶ ହୋତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ୍ ନିଶା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଶିକ୍ଷା ବିଭାଗର ଡିପିଇଓ ରୂପସିଂ ରାଉତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ମହିଳା ଓ ଶିଶୁ ବିକାଶ ବିଭାଗର ସୁରକ୍ଷା ଅଧିକାରୀ ସୁଚରିତା ମହାପାତ୍ର ପ୍ରମୁଖ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ଶିକ୍ଷା, କନ୍ୟାଭୃଣ ହତ୍ୟା, ବାଲ୍ୟ ବିବାହ ନିରାକରଣ, ମହିଳା ମାନଙ୍କ ସମାଜ ଗଠନ ତଥା ରାଷ୍ଟ୍ର ଗଠନରେ ରହିଥିବା ଭୂମିକା ସମ୍ପର୍କରେ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ଯେ, ଭାରତ ସରକାରଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ୨୦୧୫ ମସିହାରେ ଆରମ୍ଭ ହୋଇ ଆଜି ତାର ୧୦ ବର୍ଷ ପୂର୍ତ୍ତି ହୋଇଛି ଏବଂ ଏହି ଉପଲକ୍ଷେ ୨୪ ଜାନୁଆରୀ ୨୫ ଠାରୁ ଏକମାସ ବ୍ୟାପି ସଚେତନତା ଅଭିଯାନ ଜିଲ୍ଲାର ବିଭିନ୍ନ ସ୍ତରରେ ଆୟୋଜନ କରାଯିବ । ଆସନ୍ତା ମାର୍ଚ୍ଚ ୩ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଦିନ ସମାପନ ହେବ । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫ ଜଣ କୃତି ଛାତ୍ରୀଙ୍କୁ ବିଭିନ୍ନ ବିଭାଗରେ ରାଜ୍ୟ ତଥା ଜାତୀୟ ସ୍ତରରେ ସେମାନଙ୍କ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଲିପ୍ସାରାଣୀ ବାଗ, ରଚନା ମାଝୀ, ପୂନମ ନାଏକ, ନୟୀ ଶବର, ପ୍ରତ୍ୟୁଷା ମହନା ପ୍ରମୁଖ ରହିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଗଣ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ସଦସ୍ୟା, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ବୃନ୍ଦ, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ, ୱାନ ଷ୍ଟପ୍ କେନ୍ଦ୍ରର ମୁଖ୍ୟ ତଥା ଅନ୍ୟ କର୍ମକର୍ତ୍ତା, ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ଝିଅ ମାନେ, ବିଭିନ୍ନ ସ୍କୁଲର ଛାତ୍ରୀ ମାନେ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଆଦ୍ଵିକା ଗ୍ରୁପର ଝିଅ ମାନେ, ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଏବଂ ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶିଶୁଯତ୍ନ ଅନୁଷ୍ଠାନର ବାଳିକା ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ ଏବଂ ସଭା ଆରମ୍ଭରେ ଜିଲ୍ଲାପାଳଙ୍କ ଦ୍ଵାରା ଉପସ୍ଥିତ ପ୍ରତିଭାଗୀ ମାନଙ୍କୁ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିଶୁ ସୁରକ୍ଷା କାର୍ଯ୍ୟାଳୟର ଅଂଶୁମାନ ବାବୁ, ସ୍ୱାଗତ ଭାଷଣ ଦେଇଥିଲେ ସମାଜ କଲ୍ୟାଣ ବିଭାଗର ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଚରିତା ମହାପାତ୍ର ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ପୋଷଣ ଅଭିଯାନର ଜିଲ୍ଲା ସଂଯୋଜକ ଅଜୟ ବିହାର । ଏହି ଅବସରରେ ସକାଳ ୧୦ ଘଣ୍ଟା ସମୟରେ ଜିଲ୍ପାପାଳଙ୍କ କାର୍ଯ୍ୟାଳୟ ଠାରୁ ବ୍ରଜ ମୋହନ ହାଇସ୍କୁଲ ପର୍ଯ୍ୟନ୍ତ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଏହାକୁ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.