jayashree

ଉତ୍କଳ ଦିବସରୁ ରାଜ୍ୟରେ ଆରମ୍ଭ ହେଲା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

● ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ପାଇଁ ପ୍ରୟାସ
● ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଆଇଆଇଟି ଭୁବନେଶ୍ୱର, ଆଇ ଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ
● ସିଏସଆଇଆର- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଏବଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ପ୍ରଭାତ ଫେରି ଆୟୋଜିତ
● ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେଲା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା
● କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଓ ସହଭାଗୀ କରିବା’’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ପିଆଇବି) : ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି । ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ । ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ଜନସଚେନତା ସୃଷ୍ଟି ଲାଗି ଗତକାଲି ଉତ୍କଳ ଦିବସ ଠାରୁ ରାଜ୍ୟବ୍ୟାପୀ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଜନ-ଭାଗିଦାରୀ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ଏକ ମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜି-୨୦ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୩୫ରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରୁଛନ୍ତି । ଜି୨୦କୁ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଗତକାଲି ପ୍ରଥମ ଦିନରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ନୋଡାଲ ଏଜେନ୍ସି ଭାବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସାଇକେଲ ରାଲି ଏବଂ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଏସଡିଆଇ ଭୁବନେଶ୍ୱର ପକ୍ଷରୁ ମଧ୍ୟ ଯୋଗ ଶିବିର ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଏବଂ ଜନଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।

କିଟ୍ ବିଶ୍ୱବିଦ୍ୟାଳୟ ଠାରେ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଓ ସହଭାଗୀ କରିବା’’ ବିଷୟବସ୍ତୁକୁ ନେଇ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଭାତ ଫେରି ଏବଂ ସାଇକେଲ ଶୋଭାଯାତ୍ରାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ ।

ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଭାତଫେରି ଆୟୋଜନ କରାଯାଇଥିଲା । ମୁଖ୍ୟ ବୈଜ୍ଞାନିକ ଡକ୍ଟର ଏକେ ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ପ୍ରତିଷ୍ଠାନର ବୈଜ୍ଞାନିକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ସମସ୍ତଙ୍କୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନ କରାଯାଇଥିଲା ।

ସେହିପରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏହାର କ୍ୟାମ୍ପସ ପରିସରରେ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା । ଜି20 ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ ଉଦଘାଟନ କରିଥିଲେ। ଅନୁଷ୍ଠାନର ଡିନ୍, ଡି.ଏମ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରାୟ ୩୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ ।

ଅନ୍ୟପଟେ ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଜି-୨୦ ଜନଭାଗିଦାରୀ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଭୁବନେଶ୍ୱରରେ ଆୟୋଜନ କରାଯିବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ପ୍ରାୟ ୮୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ସେହିପରି ଭୁବନେଶ୍ୱର ସ୍ଥିତ ବିଆଇଆଇଟିଏମ ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଜି୨୦ ପୋଷ୍ଟର ଉନ୍ମୋଚନ କରାଯିବା ସହିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଟି-ସାର୍ଟ ଓ ଟୋପି ବିତରଣ କରାଯାଇଥିଲା। ବିଆଇଆଇଟିଏମ ଦ୍ୱାରା ଡିଏଲଏଫ ସାଇବର ସିଟୀ ଦିଗରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀମାନେ ହାତରେ ପୋଷ୍ଟର, ବ୍ୟାନର ଧରି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନୁରୂପ ଭାବେ ଇସ୍ପାତ ନଗରୀ ରାଉରକେଲା ଠାରେ ଏନଆଇଟି ରାଉରକେଲା ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦଘାଟନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏଥିରେ ଜନସାଧାରଣଙ୍କ ସହଭାଗିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲାକୁ ଚୟନ କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ଭାରତର ଜି୨୦ ଅଧ୍ୟକ୍ଷତା ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି ଏନଆଇଟି ରାଉରକେଲା ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜିର ଜନଭାଗିଦାରୀ କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜି୨୦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଚେତନତା ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଶୁଭାରମ୍ଭ ଉପଲକ୍ଷେ ଭୁବନେଶ୍ୱର ସିପେଟ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ଯାଇ ଜି-୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ସମ୍ବଲପୁର ଆଇଆଇଏମ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସମ୍ବଲପୁର ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘‘ଷ୍ଟାର୍ଟଅପ୍ ଏବଂ ଭବିଷ୍ୟତର କାର୍ଯ୍ୟ’’ ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା । ଏଥିରେ ଆଇଆଇଏମର ଅଧ୍ୟାପକ, ଜେଏନଭିର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.