ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରିଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହ। ବ୍ଲକ ଅନ୍ତର୍ଗତ କନ୍ଦାଜୁରି ଗ୍ରାମ ପଞ୍ଚାୟତଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼. ଗୁଣାନିଧି ନାୟକ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୁଷଣ, ଲୋଇସିଂହା ବିଡିଓ ଆକାଶ ରଞ୍ଜନ ସାହୁ, ତହସିଲଦାର ସଙ୍ଘମିତ୍ରା କାଲୋଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସମସ୍ୟାମୂଳକ ମୋଟ ୭୫ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୬୧ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୧୪ ଗୋଟି ଗ୍ରାମ୍ୟ ସମସ୍ୟାମୂଳକ ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟାଗୁଡିକର ଶୁଣାଣି କରିଥିଲେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଅଜୁ ଭୋଇ ଓ ଲକ୍ଷ୍ମୀରାଣୀ ପଧାନଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।