ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ବଲାଙ୍ଗିର, (କେପିଏନ୍ଏସ୍) : ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମ ପଞ୍ଚାୟତ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ପୁଇଁତଲା ତହସିଲଦାର ରୋହିତ ଭୋଇ, ଏବିଡିଓ ଉପେନ୍ଦ୍ର ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ସମସ୍ୟାମୂଳକ ମୋଟ ୮୩ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୬୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୧୯ ଗୋଟି ଗ୍ରାମ୍ୟ ସମସ୍ୟାମୂଳକ ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଭିନ୍ନକ୍ଷମଙ୍କୁ ବିବାହ ପ୍ରୋତ୍ସାହନ ଯୋଜନା ଜରିଆରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ସାଗରପଡାର ପ୍ରଶାନ୍ତ ମଲ୍ଲିକ ଓ ମଞ୍ଜୁଳତା ବାରିକଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଗ୍ରାମର ବାବୁଲାଲ ତାଣ୍ଡିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ହଜାର ଟଙ୍କା ଓ ବହଲପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳାମୁଣ୍ଡା ଗ୍ରାମର ମିଲନ ପଧାନଙ୍କୁ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଆଜି ପୁଇଁତଲା ବ୍ଲକ ଅନ୍ତର୍ଗତ ଅଙ୍କରିଆପଦର ଠାରେ ପଞ୍ଚାୟତ ଲୋକ ସେବା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ।