କାର୍ଯ୍ୟକ୍ଷମ ହେଲା ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର

  • ସହରରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଅପରାଧିକ ଗତିବିଧି ଉପରେ ନଜର ରଖିବାରେ ହେବ ସହାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ୱାନ ପରିସରରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ତରଫରୁ ନିର୍ମିତ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ଶୁଭାରମ୍ଭ ହୋଇଯାଇଛି । ରାଉରକେଲା ମହାନଗର ନିଗମ ଆୟୁକ୍ତ ତଥା ରାଉରକେଲା ସ୍ମାର୍ଟ ସିଟି ସିଇଓ ସୁଶ୍ରୀ ଦୀନା ଦସ୍ତଗୀର୍ ସୋମବାର ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ଏହି ବ୍ୟବସ୍ଥା ସହରରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧିକ ଗତିବିଧି ଉପରେ ନଜର ରଖିବାରେ ବିଶେଷ ସହାୟକ ହେବ । ରାଉରକେଲା ସହରରେ ୧୩ଟି ସ୍ଥାନରେ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ୍ ରହିଥିବା ବେଳେ ୪ଟି ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ସେଗୁଡିକ ହେଲା ଆମ୍ବାଗାନ୍, ଡିଏଭି ଛକ, ଟ୍ରାଫିକ୍ ଛକ, ଗଡ଼ିଆଟୋଲା । ଏହି ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ୍ କାର୍ଯ୍ୟକାରୀ ହେବା ଫଳରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ହେବା ସହ ଅତ୍ୟାଧୁନିକ ଭାବେ ଟ୍ରାଫିକ୍ ନିୟନ୍ତ୍ରଣ ସ୍ୱୟଂଚାଳିତ ଭାବରେ କରାଯାଇ ପାରିବ । ଅଟୋମେଟିକ ନମ୍ବର ପ୍ଲେଟ୍ ରେକୋଗନାଇଜେସନ ସହ ଦ୍ରୁତଗତିରେ ଗାଡ଼ି ଚାଳନା, ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବା, ବିନା ସିଟ୍ ବେଲ୍ଟରେ ଗାଡ଼ି ଚାଳନା ଆଦି ରୋକାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଇ-ଚାଲାଣ ଜାରି କରାଯିବ । ଯାହା ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ । ରାଉରକେଲା ସହର ଉପରେ ନଜର ରଖିବା ନିମନ୍ତେ ବିଭିନ୍ନ ସ୍ଥାନରେ ୬୦୦ରୁ ଅଧିକ ସିସି କ୍ୟାମେରା ଲଗାଯାଇଛି । ଯାହା ସହରରେ ଅପରାଧିକ କାର୍ଯ୍ୟକଳାପ ରୋକିବାରେ ବିଶେଷ ଭାବେ ସହାୟକ ହେବା ସହ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିବ । ଏଥିସହ ସାର୍ବଜନୀନ ସୂଚନା ତଥା କୌଣସି ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀକାଳୀନ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସହରର ୧୦ଟି ସ୍ଥାନରେ ରହିଛି ପବ୍ଲିକ୍ ଆନାଉନ୍ସମେଣ୍ଟ ସିଷ୍ଟମ୍ । ଏହା ସହ ୨୦ଟି ସ୍ଥାନରେ ଏମର୍ଜେନ୍ସି କଲ୍ ବକ୍ସ ରହିଥିବା ବେଳେ ସେଥିମଧ୍ୟରୁ ୧୪ଟି କାର୍ଯ୍ୟକ୍ଷମ ରହିଛି ।

Leave A Reply

Your email address will not be published.