ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟରେ ରବିବାର ନୂତନ ଏସ୍.ପି ଭାବେ ଯୁବ ଆଇପିଏସ୍ ଜଗମୋହନ ମୀନା ଆନୁଷ୍ଠାନିକ ଭାବେ ଯୋଗଦେଇ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଯୁବ ଆଇପିଏସ୍ ଜଗମୋହନ ମୀନାଙ୍କ ଯୋଗଦାନ ବେଳେ ତାଙ୍କୁ ବିଭାଗୀୟ ଅଧିକାରୀ ମାନେ ଫୁଲତୋଡା ଦେଇ ସ୍ୱାଗତ ଜଣାଇଛନ୍ତି । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ସହ ଅପରାଧୀ ସମସ୍ୟା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ଡିଆଇଜି ଭାବେ ବଦଳି ହୋଇଥିବା ବେଳେ ଗତ ଶୁକ୍ରବାର ପୂର୍ବତନ ଏସ୍ପିଙ୍କୁ ସ୍ଥାନୀୟ ତାମ୍ପରା ହ୍ରଦ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ପୂର୍ବତନ ଏସ୍ପିଙ୍କ ଠାରୁ ନୂତନ ଏସ୍ପି ଭାବେ ଜଗମୋହନ ମୀନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ମୀନା ପୂର୍ବରୁ ଅନୁଗୁଳ ଏସ୍.ପି. ଭାବେ କାର୍ଯ୍ୟରତ ଥିଲେ । ପୂର୍ବରୁ ସେ ମାଲକାନଗିରି ଭଳି ମାଓ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରିଥିବାରୁ ଗଞ୍ଜାମରେ ଅପରାଧୀ ସମସ୍ୟାକୁ ସେ ଅଧିକ ଦକ୍ଷତାର ସହିତ କଡ଼ା-ମୁକାବିଲା କରିବାରେ ସଫଳ ପାରଦର୍ଶିତା ପ୍ରତିପାଦନ କରି ପାରିବେ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି ।