ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡିଶା ରାଜ୍ୟ ମହିଳା ଆୟୋଗ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ମହିଳା ଅଧିକାର ଓ ସୁରକ୍ଷାକୁ ନେଇ ଏକ ଜିଲ୍ଲାସ୍ତରୀୟ ଆଇନ୍ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେଭିକେ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଜନ ସଚେତନତା କାର୍ୟ୍ୟକ୍ରମରେ ମହିଳାଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର ଓ ସୁରକ୍ଷା,ଘରୋଇ ହିଂସା ଓ ଯୌତୁକ ନିରୋଧ ଆଇନ, କାର୍ୟ୍ୟକ୍ଷେତ୍ରରେ ଯୌନ ନିର୍ୟ୍ୟାତନା, ବେଆଇନ ମହିଳା ଚାଳାଣ, ସମାଜରେ ଥିବା ଅନ୍ଧ ବିଶ୍ବାସ ସହ ମହିଳାଙ୍କୁ ନେଇ ରହିଥିବା ଜାତୀୟ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ରାଜ୍ୟ ମହିଳା ଆୟୋଗର ଆୟୁକ୍ତ ଡ.ମିନତୀ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲାପାଳ ମନୀଷା ବାନାର୍ଜୀ,ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶଙ୍କ ସମେତ ସମାଜକର୍ମୀ ଘାସିରାମ ପଣ୍ଡା, ରାଜ୍ୟ ମହିଳା ଆୟୋଗର ସଦସ୍ୟା ସ୍ନେହାଞଳି ମହାନ୍ତି, ଜାଲିନା ପ୍ରିୟଦର୍ଶନୀ ଓ ଅତିରିକ୍ତ ଏସ୍ ପି ବିଜୟା ବରୱା ପ୍ରମୁଖ ଯୋଗଦେଇ ମହିଳା ଆଇନର ବିଭିନ୍ନ ଦିଗ ସହ ମହିଳା ସଶକ୍ତିକରଣ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କରୋନା ସମୟରେ ପ୍ରଶଂସନୀୟ କାର୍ୟ୍ୟ କରିଥିବା ୧୨ଜଣ କୋଭିଡ୍ ଯୋଦ୍ଧାଙ୍କୁ ସ୍ବତନ୍ତ୍ର ଭାବେ କମିଶନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ସଂପର୍କୀତ ମାମଲା ଗୁଡିକର ତ୍ବରିତ ନ୍ୟାୟ ଓ ସଚେତନତା ସୃଷ୍ଟି ପାଇଁ ଆୟୋଗ କାର୍ୟ୍ୟ କରୁଛି ବୋଲି ଆୟୁକ୍ତ ଡ. ମିନତୀ ବେହେରା କହିଛନ୍ତି ।